Odisha Link
Bridging the Missing Links in Odisha

ଆଜି କେନ୍ଦ୍ର ବଜେଟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ନିଜ ପେଡ଼ି ଖୋଲିବେ। ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଆଜି ଉପସ୍ଥାପିତ ହେବ। ଦୀର୍ଘ ୪୯ ବର୍ଷ ପରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ପାର୍ଲାମେଣ୍ଟରେ ବଜେଟ୍‌ ଉପସ୍ଥାପନ କରିବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ପେଡ଼ିରେ କ’ଣ ରଖିଛନ୍ତି ଏବେ ତା’ଉପରେ ସମସ୍ତଙ୍କ ନଜର ରହିଛି। ଏଥର ଅର୍ଥମନ୍ତ୍ରୀଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ୪୫ ବର୍ଷରେ ବେକାରୀ ସର୍ବୋଚ୍ଚ ସୀମାରେ ପହଞ୍ଚିଛି। କେବଳ ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ଅଭିବୃଦ୍ଧି ହାର ୫.୮ ପ୍ରତିଶତକୁ ଖସି ଆସିଥିଲା। ଫଳରେ ଦ୍ରୁତତମ ଅଭିବୃଦ୍ଧି ହାସଲ ଦେଶ ମାନ୍ୟତାରେ ଭାରତ, ଚୀନଠାରୁ ପଛରେ ପଡିଯାଇଥିଲା। ସେ ଦୃଷ୍ଟିରୁ ଉତ୍ପାଦନ ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନିର୍ମଳାଙ୍କ ପ୍ରାଥମିକତା ହେବ।

ଖାସ୍ କରି ଗ୍ରାମାଞ୍ଚଳରେ ଆୟ ବୃଦ୍ଧି ଲାଗି ମନରେଗା ଭଳି ଯୋଜନାରେ ଅର୍ଥ ବୃଦ୍ଧି କରିବାକୁ ପଡିବ। ତା’ସହିତ ପିଏମ୍ କିଷାନ, ଆୟୁଷ୍ମାନ ଭାରତ, ମାଗଣା ଏଲପିଜି, ବିଦ୍ୟୁତକରଣ, ହାଉସିଂ ଓ ସ୍ୱଚ୍ଛଭାରତ ଯୋଜନାରେ ପାଇଖାନା ନିର୍ମାଣ ଭଳି ଜନହିତକର ଯୋଜନାରେ ଅର୍ଥ ବ୍ୟୟ ଜାରି ରଖିବାକୁ ପଡିବ। ଅନ୍ୟପକ୍ଷରେ ପାଣି ସମସ୍ୟା ଦୂର ଲାଗି ସରକାର ଆରମ୍ଭ କରିଥିବା ମହତ୍ୱାକାଂକ୍ଷୀ ଜଳଶକ୍ତି ଅଭିଯାନ ପାଇଁ ବଡ଼ ଧରଣର ଅର୍ଥ ବରାଦର ଆବଶ୍ୟକତା ପଡ଼ିବ। ତେଣୁ ଅଭିବୃଦ୍ଧି ଓ ସାମାଜିକ କାର୍ଯ୍ୟକ୍ରମ ମଧ୍ୟରେ ଅର୍ଥମନ୍ତ୍ରୀ କିଭଳି ସମାନତା ରକ୍ଷା କରୁଛନ୍ତି ଏବେ ତା’ ଉପରେ ସମସ୍ତଙ୍କ ନଜର ରହିବ।

Comments are closed.