Odisha Link
Bridging the Missing Links in Odisha

ପାଟକୁରା ଲଢ଼େଇ: ମନାଉଛି ବିଜେଡି, ମେଳାଉଛି ବିଜେପି

କେନ୍ଦ୍ରାପଡା: ପାଟକୁରା ବିଧାନସଭା ଆସନରେ ନିର୍ବାଚନ ବିଗୁଲ ବାଜି ସାରିଥିବା ବେଳେ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ୱୀ ବିଜୁ ଜନତା ଦଳ(ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ନେତା ମନ୍ତ୍ରୀଙ୍କୁ ପଠାଇ ପଞ୍ଚାୟତ ସ୍ତରରେ ସଂଗଠନ ସଜାଡ଼ିବାରେ ବ୍ୟସ୍ତ ଥିବା ବେଳେ ଏଯାଏଁ ବିଜେପି ତୁଙ୍ଗ ନେତାଙ୍କର ପାଦ ପଡ଼ିନାହିଁ। ପାଟକୁରାରେ ବିଜେଡି ଅସନ୍ତୁଷ୍ଟ କର୍ମୀ ଓ ଭୋଟରଙ୍କୁ ମନେଇବାରେ ବ୍ୟସ୍ତ ଥିବା ବେଳେ ଆଜି ମହିଳା ଭୋଟରଙ୍କୁ ନେଇ ସଂକଳ୍ପ କରାଇଛି ବିଜେପି।

ଆସନ୍ତା ଜୁଲାଇ ୨୦ରେ ପାଟକୁରାରେ ନିର୍ବାଚନ ହେବ ଓ ୨୪ ରେ ଗଣତି ହେବ। ବିଜେଡି ତାର ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ପଠାଇ ପ୍ରାୟ ୨୫ଟି ପଞ୍ଚାୟତରେ ବୈଠକ କରି ଅସନ୍ତୁଷ୍ଟ କର୍ମୀ ଓ ଭୋଟର ମାନଙ୍କୁ ହାତେଇବା ଚେଷ୍ଟା କରୁଛି। ସେପଟେ ବିଜେପି ପଛରେ ପଡ଼ିଯାଇଥିଲେ ବି ଦଳର ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ନିଆରା ଢଙ୍ଗରେ ଘରରୁ ଘର ପ୍ରଚାର ଓ ଭୋଟ୍ ବିଳମ୍ବ ହେବାର ଏକ ସମବେଦନା ପାଟକୁରାବାସୀଙ୍କ ମଧ୍ୟରେ ଦେଖାଦେଇଛି।

ଆଜି ବିଜୟଙ୍କ ପ୍ରତି ସମର୍ଥନର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଗତକାଲି ନିର୍ବାଚନ ତାରିଖ ଘୋଷଣା ହେଲା। ଆଜି ହଠାତ୍ ୧୦୦୦ରୁ ଅଧିକ ସଂଖ୍ୟାରେ ମହିଳା ଆସି ପହଞ୍ଚିଥିଲେ ପାଟକୁରା ନିର୍ବାଚନ ମଣ୍ଡଳୀର ମାହାଳ ସ୍ଥିତ ଜଗନ୍ନାଥ ମନ୍ଦିରରେ। ସମସ୍ତଙ୍କ ମନରେ ଥିଲା ତାରିଖ ଘୋଷଣାର ଉତ୍ସାହ। ବୁଝୁବୁଝୁ ଜଣାପଡିଲା ସମସ୍ତେ ଆସିଛନ୍ତି ବିଜୟଙ୍କ ବିଜୟ ପାଇଁ ମାନସିକ କରିବାକୁ। ସେମାନେ ମହାଲକ୍ଷ୍ମୀ ମନ୍ଦିରରେ ଦୀପଦାନ କରି ବିଜେପିର ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିଜୟ କାମନା କରିଥିଲେ ଓ ସଂକଳ୍ପ ନେଇଥିଲେ ବିଜୟଙ୍କୁ ନିର୍ବାଚନରେ ଜିତାଇବା ପାଇଁ। ଏମାନଙ୍କ ସହ ଯୋଗ ଦେଇଥିଲେ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା, ନେତ୍ରୀ ପିଙ୍କୀ ପ୍ରଧାନ, ରଶ୍ମି ଦାଶ ପ୍ରମୁଖ। ଏହା ପରେ ନିକଟସ୍ଥ ମଣ୍ଡପରେ ପହଞ୍ଚିଥିଲେ ବିଜେପିର ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର, ଧାମନଗର ବିଧାୟକ ବିଷ୍ଣୁ ସେଠୀ, ବାଲେଶ୍ବର ବିଧାୟକ ମଦନମୋହନ ଦତ୍ତ। ସମସ୍ତଙ୍କ ଉପସ୍ଥିତିରେ ଏକ ସଭାର ଆୟୋଜନ କରାଯାଇଥିଲା।

Comments are closed.