Odisha Link
Bridging the Missing Links in Odisha

ମଦୁଆଙ୍କୁ ସାବାଡ କରିବ ‘ମଦୁଆ ଧରା ଗାଡ଼ି’

 ଦେବଗଡ଼ : ଏବେ ଆଉ ମଦୁଆ ମାନଙ୍କର ଉତପାତ୍ ଦେଖିବାକୁ ମଳିବ ନାହିଁ। କାରଣ ମଦୁଆଙ୍କୁ ଧରିବା ପାଇଁ ଦେବଗଡ଼ ପୁଲିସ ଆରମ୍ଭ କରିଛି ଅଭିନବ ପ୍ରୟାସ । ମଦୁଆ ଓ ନିଶାଖୋର ଲୋକଙ୍କୁ ଧରିବା ପାଇଁ ବୁଲୁଛି ‘ମଦୁଆ ଧରା ଗାଡ଼ି’। ଏହି କଥାଟି ଶୁଣି ଆପଣଙ୍କୁ ବିଶ୍ବାସ ହେଉ ନଥିବ ହେଲେ ଏହା ପୁରା ସତ୍ୟ। ଏପରି ବ୍ୟବସ୍ଥା ଦେବଗଡ଼ ପୌରାଞ୍ଚଳରେ ଜିଲ୍ଲା ପୁଲିସ ପକ୍ଷରୁ ଏପରି ଏକ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଦେବଗଡ଼ ପୌରାଞ୍ଚଳରେ ଦୁଇଟି ‘ମଦୁଆ ଧରା ଗାଡ଼ି’ ଘନଘନ ଚକ୍କର କାଟୁଥିବା ଦେଖିବାକୁ ମିଳିଛି। ଯାହା ମଦୁଆ ଓ ମାତାଲିଙ୍କ ହୋସ୍‌ ଉଡାଇ ଦେଇଛି।
ପର୍ବ ପର୍ବାଣୀ ସମୟରେ ମଦୁଆମାନେ ପ୍ରବଳ ଉତ୍ପାତ କରିଥାଆନ୍ତି। ନିଶାସକ୍ତ ଅବସ୍ଥାରେ ନାନା ବିଭ୍ରାଟ୍‌ ମଧ୍ୟ ଘଟାଇ ଥାଆନ୍ତି। ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥାଏ। ଯାହାକୁ ନଜରରେ ରଖି ଜିଲ୍ଲା ପୁଲିସ୍‌ ପକ୍ଷରୁ ଗୋଟିଏ ବୋଲେରୋ ଓ ଗୋଟିଏ ମିନିଟ୍ରକ୍‌ରେ ‘ମଦୁଆ ଧରା ଗାଡ଼ି’ ଲେଖା ଥିବା ଷ୍ଟିକର ମରାଯାଇଛି। ଏହି ଗାଡ଼ିଟି ଗତ ଦୁଇ ଦିନ ଧରି ପୌରାଞ୍ଚଳର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅହରହ ଘୂରି ବୁଲୁଛି। ଏପରିକି ଦେବଗଡ଼ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତ ପ୍ରଧାନପାଟ ଜଳପ୍ରପାତର ଆଖପାଖ ଅଞ୍ଚଳରେ ମଧ୍ୟ ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ଦେବଗଡ଼ ଜିଲ୍ଲା ପୁଲିସର ଏହି ‘ମଦୁଆ ଧରା ଗାଡି’ର ପରିକଳ୍ପନା ବେଶ ଫଳପ୍ରଦ ହୋଇଥିବା ଜଣାପଡ଼ିଛି। ଏହି ଗାଡ଼ିର ଚଳପ୍ରଚଳ ଦେଖି ମଦୁଆମାନେ ବେଶ ସତର୍କ ହୋଇଯାଇଛନ୍ତି। ଆଉ ପୂର୍ବ ଭଳି ମଦ ପିଇ ଜନଗହଳି ଥିବା ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳୁ ନାହାନ୍ତି।
ମିଳିଥିବା ସୂଚନା ଅନୁସାରେ, ପ୍ରତିବର୍ଷ ଗଣେଶ ମେଳା ସମୟରେ ଜିଲ୍ଲା ପୁଲିସ ପକ୍ଷରୁ ଅନୁରୂପ ଭାବେ ‘ମଦୁଆ ଧରା ଗାଡି’ର ବ୍ୟବସ୍ଥା କରାଯାଇଥାଏ। ମଦୁଆଙ୍କୁ ସାବାଡ଼୍‌ କରିବା ପାଇଁ ଏପରି ବ୍ୟବସ୍ଥା କରାଯାଏ। ଏବେ ପବିତ୍ର ରଥଯାତ୍ରାରେ ଅନୁରୂପ ବ୍ୟବସ୍ଥା କରାଯାଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

Comments are closed.