Odisha Link
Bridging the Missing Links in Odisha

ପାଣି ଅଭାବରୁ ଫାଟି ଆଁ କରିଛି ଧାନ ବିଲ, ଖରାରେ ଶୁଖି ବଦଳି ଗଲାଣି ତଳିର ରଙ୍ଗ

ଭୁବନେଶ୍ବର : ଶ୍ରାବଣ ମାସର ଆସି ଅଧା ହେଲାଣି ହେଲେ ବର୍ଷାର ଦେଖା ନାହିଁ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବର୍ଷାର ପରିମାଣ କମ୍ ରହିଥିବାରୁ ଫସଲ ହେବା କଷ୍ଟକର ହୋଇଯାଇଛି । ଋଣ କରି ଚାଷ କରୁଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇବସିଛି । କେମିତି ଜମିକୁ ପାଣି ଆସିବ, ଏବେ ସେହି ଚିନ୍ତା ଘାରିଛି ଚାଷୀକୁ ।
ବର୍ଷା ନାହିଁ, ପାଣି ନାହିଁ । ଶୁଖିଲା ପଡିଛି ଧାନ ବିଲ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁରରେ ବର୍ଷା ଅଭାବରୁ ଚାଷ ଜମିର ଏପରି ଅବସ୍ଥା । ପ୍ରଥମ ବର୍ଷାରେ ଚାଷୀ ବୁଣିଥିବା ଧାନ ବେଉଷଣ ହୋଇପାରୁନି, କାଦୁଅ ହୋଇନଥିବାରୁ ରୁଆ କାମ ବି ଆଗେଇ ପାରୁନି । ଜମି ଫାଟି ଆଁ କରିଥିବା ବେଳେ ଫସଲର ସବୁ ଆଶା ମଉଳି ଗଲାଣି । ଧାନ ତଳି ବଞ୍ଚାଇବା ପାଇଁ ଭଡାରେ ପମ୍ପ ଆଣି ପାଣି ମଡାଉଛନ୍ତି ଚାଷୀ । ଏହି ୨ଟି ବ୍ଲକର ୧୬ ହଜାର ହେକ୍ଟର ଜମିରେ ଧାନ ଚାଷ ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଛି । ଚାଷ ପାଇଁ ଏବେ ସୁଦ୍ଧା ୪୨୦ ମିଲିମିଟର ବର୍ଷାର ଆବଶ୍ୟକତା ରହିଛି । କିନ୍ତୁ ଜୁନ୍-ଜୁଲାଇ ମାସର ଅଧାସୁଦ୍ଧା ମାତ୍ରା ୧୧୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ନିଅଣ୍ଟିଆ ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଜମିରେ ଚାଷ କେମିତି ହେବ ତାକୁ ନେଇ ଚାଷୀର ଆଖିରୁ ନିଦ ହଜିଯାଇଛି ।
କେମିତି ହେବ କେନ୍ଦ୍ରାପଡା ଚାଷ ? ବର୍ଷା ଅଭାବରୁ ହେବକି ଗଜା ମରୁଡି ? ସମାନ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ । ଜିଲ୍ଲାର ମାର୍ଶାଘାଇ, ଗରଦପୁର, ମହାକାଳପଡାରେ ବର୍ଷାକୁ ଆଶା କରି ଧାନ ତଳି ପକାଇଥିଲେ ଚାଷୀ । ହେଲେ ଶ୍ରାବଣରେ ପାଣି ଅଭାବରୁ ପୋଖରୀ ଗାଡିଆ ଶୁଖିଲା ପଡିଥିବା ବେଳେ, ଫାଟି ଆଁ କରିଛି ଚାଷ ଜମି । ବିଲକୁ ପାଣି ନାହିଁ । ଜମି ଫାଟି ଯାଉଥିବାରୁ, ପମ୍ପ କିଣି ଜମିରେ ପାଣି ମଡାଉଛି ଚାଷୀ । ହେଲେ ଏହା ସମୁଦ୍ରକୁ ସଙ୍ଖେ।
ମାର୍ଶାଘାଇ ବ୍ଲକର ମୋଟ ୧୧ ହଜାର ୬୪୨ ହେକ୍ଟର ଜମିରୁ ୮,୫୦୦ ହେକ୍ଟର ଜମିରେ ଧାନ ଚାଷ କରାଯାଏ। ସେହିପରି ଗରଦପୁର ବ୍ଲକରେ ୯,୧୨୫ ହେକ୍ଟର ଜମିରୁ ୭,୫୦୦ ହେକ୍ଟର ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖିଛି କୃଷି ବିଭାଗ । ଏବଂ ମହାକାଳପଡାର ୨୮ ହଜାର୨୦ ହେକ୍ଟର ଜମିରୁ ୨୪ ହଜାର ୨୦୦ ହେକ୍ଟର ଜମିରେ ଧାନ ଚାଷ କରିଥାନ୍ତି ଚାଷୀ ।
ସବୁ ଜମିରେ ଜଳସେଚିତ ହୋଇନଥିବାରୁ ଚାଷୀ ବର୍ଷା ଜଳ ଉପରେ ନିର୍ଭର କରିଥାନ୍ତି। ଚଳିତବର୍ଷ ମଧ୍ୟ ବର୍ଷାକୁ ଆଶା କରି ଧାନ ଚାଷ ପାଇଁ ଜମିକୁ ପ୍ରସ୍ତୁତ କରିଛନ୍ତି ଚାଷୀ । ହେଲେ ବର୍ଷାର ଦେଖା ନଥିବାରୁ ଚାତକ ପରି ଆକାଶକୁ ଚାହିଁ ବସିଛନ୍ତି ଚାଷୀ । ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଚାଷୀଙ୍କ ଦୟନୀୟ ସ୍ଥିତିର ଚିତ୍ର ସାମ୍ନାକୁ ଆସିଛି । ବର୍ଷା ଅଭାବରୁ କେଉଁଠି ବିଲରେ ଗୋରୁ ଚରୁଛନ୍ତି ତ ଆଉ କେଉଁଠି ଚାଷ ଜମିରେ କାଦୁଅ ବଦଳରେ ଧୂଳି ଉଡୁଛି । ଯାହାକୁ ଦେଖିଲେ ଗଜା ମରୁଡିର ଆଶଙ୍କା ଦୃଢିଭୂତ ହେଉଛି ।

Comments are closed.