ଗର୍ଗଙ୍କ ବଦଳି ପଛରେ ଆର୍ଏସ୍ଏସ୍ର ହାତ!

ନୂଆଦିଲ୍ଲୀ : ଆର୍ଥିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ବଦଳି ପଛରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସ୍ଏସ୍)ର ହାତ ରହିଥିବା ସନ୍ଦେହ କରାଯାଉଛି। ବିଦେଶୀ ସଭରେନ ବଣ୍ଡ ପାଇଁ ଓକାଲାତି କରିବା ତାଙ୍କୁ ମହଙ୍ଗା ପଡିଛି। କାରଣ ସଂଘର ଆର୍ଥିକ ଶାଖା ସ୍ବଦେଶୀ ଜାଗରଣ ମଞ୍ଚ ଏହି ବଣ୍ଡକୁ ବିରୋଧ କରିଛି। ଏହି କାରଣରୁ ତାଙ୍କୁ ଅଚାନକ ବଦଳି କରାଯାଇଥିବା ଚର୍ଚ୍ଚା ଜୋର୍ ଧରିଛି। ମଞ୍ଚର ରାଷ୍ଟ୍ରୀୟ କୋଅର୍ଡିନେଟର ଅଶ୍ୱିନୀ ମହାଜନ କହିଥିଲେ ଯେ, ବିଦେଶୀ ଋଣ ନେବା ଲାଗି ପ୍ରୋତ୍ସାହନ ଦେବା ଯୋଗୁ ଗର୍ଗଙ୍କୁ ଏହି ପୁରସ୍କାର ମିଳିଛି। ତାଙ୍କ ମତରେ ଋଣ ନେବାର ଅଦ୍ଭୁତ ବିଚାର ତାଙ୍କ ବଦଳିର କାରଣ ହୋଇଛି।
ମହାଜନଙ୍କ ଏହି ବିବୃତି ଏବେ ରାଜନୈତିକ ମହଲରେ ଆଲୋଚନାର ଖୋରାକ ହୋଇଛି। ଆର୍ଏସ୍ଏସ୍ ନିର୍ଦ୍ଦେଶରେ ସରକାର ତାଙ୍କୁ ବଦଳି କରିଛନ୍ତି ବୋଲି ଧାରଣା ସ୍ପଷ୍ଟ ହୋଇଛି। ମହାଜନ କହିଛନ୍ତି ଯେ, ମଞ୍ଚ ଲାଗି ଯାହା ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ସରକାରଙ୍କୁ ଜଣାଇ ଦିଆଯାଇଛି। ସେ ଏତିକିରେ ନିଜକୁ ରୋକିନାହାନ୍ତି। ସରକାରରେ ସାମିଲ କେତେକ ଓଭର ପରଫରମିଂ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି। ସୂଚନା ଯୋଗ୍ୟ, ପାର୍ଲାମେଣ୍ଟରେ ଉପସ୍ଥାପିତ ବିଦେଶୀ ସଭରେନ ବଣ୍ଡ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ବଜେଟ ଭାଷଣରେ ଉଲ୍ଲେଖ କରିଥିଲେ।
ବଜେଟ ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ଗର୍ଗ ଏହି ବଣ୍ଡ ଜାରି କରିବାର ବିଚାର ଆଣିଥିଲେ। ଚଳିତ ଆର୍ଥିକ ବର୍ଷରେ ବିଦେଶୀ ବଣ୍ଡ ମାଧ୍ୟମରେ ସରକାର ୧୦ ବିଲିୟନ ଡଲାର ଋଣ ଆଣିବାକୁ ଚାହୁଁଛନ୍ତି ବୋଲି ବଜେଟ ଭାଷଣରେ ଅର୍ଥମନ୍ତ୍ରୀ ପ୍ରକାଶ କରିଥିଲେ। ତେବେ ଦେଶର ବହୁ ବିଶିଷ୍ଟ ଅର୍ଥନୀତିଜ୍ଞ ସହ ପୂର୍ବତନ ଆର୍ବିଆଇ ଗଭର୍ନର ଓ୍ବାଇ.ଭି.ରେଡ୍ଡୀ, ରଘୁରାମ ରାଜନ, ସି.ରଙ୍ଗରାଜନ ଏହାକୁ ବିରୋଧ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କମିଟିର କେତେଜଣ ସଦସ୍ୟ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ସ୍ବଦେଶୀ ଜାଗରଣ ମଞ୍ଚ ମଧ୍ୟ ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ସମାଲୋଚନା କରିଛି। ବଜେଟ ଉପସ୍ଥାପନର ଦୁଇ ଦିନ ପରେ ମହାଜନ କହିଥିଲେ ଯେ, ବିବେଶୀ ମୁଦ୍ରାରେ ସରକାରୀ ଋଣ ନେବା ଭୁଲ୍ ବିଚାର। ଏ ସମ୍ପର୍କରେ ଅନ୍ତରାଷ୍ଟ୍ରୀୟ ଅଭିଜ୍ଞତା ଅତ୍ୟନ୍ତ ଭୟଙ୍କର ରହିଛି। ଭାରତ ନିକଟରେ ଏବେ ୪୩୦ ବିଲିୟନ ଡଲାର ବିଦେଶୀ ମୁଦ୍ରା ଗଚ୍ଛିତ ରହିଛି। ଏପରି ସ୍ଥିତିରେ ବିଦେଶୀ ଋଣ ନେବାର ବିଚାର ଆଦୌ ଗ୍ରହଣୀୟ ନୁହେଁ। ବିଦେଶୀ ଋଣକୁ ନେଇ ବନ୍ଦ କୋଠରୀରେ ଆଲୋଚନା ଲାଗି ମଞ୍ଚ ପକ୍ଷରୁ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କୁ ନିମନ୍ତ୍ରଣ କରାଯାଇଛି। ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ, ଇଣ୍ଡୋନେସିଆ, ବ୍ରାଜିଲ୍, ଆର୍ଜେଣ୍ଟିନା,ତୁର୍କି ଓ ମେକ୍ସିକୋ ଭଳି ଦେଶ ବିଦେଶୀ ଋଣ ଜାଲରେ ଏପରି ଭାବେ ଫସି ଯାଇଛନ୍ତି ଯେ, ଋଣ ଶୁଝିବା ଲାଗି ପୁଣି ଋଣ କରୁଛନ୍ତି। ଉଲ୍ଲେଖଥାଉ କି, ସଭରେନ ବଣ୍ଡକୁ ସମର୍ଥନ ଜଣାଇ ଗର୍ଗ କହିଥିଲେ ଯେ, ଏହାକୁ ପ୍ରୋତ୍ସାହିତ କରାଗଲେ ଭାରତୀୟ କମ୍ପାନୀଗୁଡ଼ିକର ବାସ୍ତବିକ ସୁଧ ହାର ତଳକୁ ଖସିବ। ଏହାଦ୍ୱାରା ଅର୍ଥନୀତି ସୁଦୃଢ଼ ହେବ। ବିଦେଶୀ ନିବେଶ ଓ ସଞ୍ଚୟକୁ ନେଇ ସରକାରଙ୍କ ବ୍ୟବହାର ଖୋଲା ରହିଛି।