Odisha Link
Bridging the Missing Links in Odisha

ବେକାରୀ ଓ ନିଯୁକ୍ତିର ପୂରା ହିସାବ ଦେଲେ ମନ୍ତ୍ରୀ : ବିଧାନସଭା

ଭୁବନେଶ୍ବର : ରାଜ୍ୟରେ କେତେ ଜଣ ଯୁବକ ଯୁବତୀ ବେକାରୀ ଅଛନ୍ତି । ସରକାର ଏମାନଙ୍କୁ ନିଯୁକ୍ତି ଦେବା ପାଇଁ କଣ ସବୁ ଯୋଜନା କରିଛନ୍ତି ଓ କେବେ ସୁଦ୍ଧା ଏହି ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ମିଳିବ । ବିରୋଧୀ ଦଳ ମୁଖ୍ୟ ସଚେତକ ବିଷ୍ଣୁ ଚରଣ ସେଠୀଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ଜିଲ୍ଲାୱାରୀ କେତେ ବେକାରୀ ରହିଛନ୍ତି ତାହାର ହିସାବ ଦେଇଛନ୍ତି ମନ୍ତ୍ରୀ ।
ରାଜ୍ୟରେ ଲଗାତାର ଭାବେ ବେକାରୀଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏହାର ପୂରା ତଥ୍ୟ ଗୃହରେ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ରାଜ୍ୟରେ ୩୧ ମାର୍ଚ୍ଚ ୨୦୧୯ ସୁଦ୍ଧା ବିଭିନ୍ନ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜିକରଣ କରିଥିବା ୯,୩୭,୨୫୧ ସଂଖ୍ୟକ ଯୁବକ ଯୁବତୀ ବେକାରୀ ଅଛନ୍ତି । ଯେଉଁମାନଙ୍କୁ ଏଯାଏଁ ନିଯୁକ୍ତି ମିଳିପାରିନାହିଁ । ତେବେ ଗତ ୧୧ ବର୍ଷ ମଧ୍ୟରେ ପଞ୍ଜିକୃତ ଯୁବକ ଓ ଯୁବତୀଙ୍କ ମଧ୍ୟରୁ ରାଜ୍ୟ ସରକାରଙ୍କ ଅଧିନରେ ୨୨୭୦୬ ଜଣଙ୍କୁ ନିଯୁକ୍ତି ମିଳିଥିବା ବେଳେ କେନ୍ଦ୍ର ସରକାରଙ୍କ ଅଧିନରେ ୧୦୦୪ ଜଣ, ସେହିଭଳି ଅର୍ଦ୍ଧ ସରକାରୀ ସିକୃତିପ୍ରାପ୍ତ ଅନୁଷ୍ଠାନରେ ରାଜ୍ୟରେ ୩୩୨ ଜଣ ପୋଷ୍ଟିଂ ପାଇଥିବା ବେଳେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅନୁଷ୍ଠାନରେ ୨୧୧୧ ଜଣଙ୍କୁ ନିଯୁକ୍ତି ମିଳିଛି । ଏହାଛଡା ବିଭିନ୍ନ ବେସରକାରୀ ଅନୁଷ୍ଠାନରେ ୧୧୦୮ ଜଣଙ୍କୁ ନିଯୁକ୍ତି ମିଳିଛି । ମୋଟ ୨୭୨୬୧ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।
ଏହାଛଡା ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ୩୧ ମାର୍ଚ୍ଚ ୨୦୧୯ ସୁଦ୍ଧା ୮୫୬୮୦ ଜଣଙ୍କୁ ତାଲିମ ଦିଆଯାଇଥିବା ବେଳେ ୧୬,୭୭୭ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ରାଜ୍ୟରେ ଅଦ୍ୟାବଧି ୨୧୦ଟି ନିଯୁକ୍ତି ମେଳା କରାଯାଇ ମୋଟ ୧,୧୩,୨୫୧ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ଏହାଛଡା ଗତ ୫ ବର୍ଷ ମଧ୍ୟରେ ସେନାବାହିନୀରେ ନିଯୁକ୍ତି ପାଇଁ ୨୨ଟି ନିଯୁକ୍ତି ରାଲି କରି ୫୦୨୭ ଜଣଙ୍କୁ ସେନା ବାହିନୀରେ ନିଯୁକ୍ତି ପାଇଛନ୍ତି ।

Comments are closed.