ରୋହିତ-ବିରାଟ କଳି !

ମୁମ୍ବାଇ: ସାମାଜିକ ଗଣମାଧ୍ୟମ ବହୁତ ଭଲ କିନ୍ତୁ ଏହାର ସୁଦୁରପ୍ରସାରୀ କୁପ୍ରଭାବ ବି ରହିଛି। କାହାକୁ ଆପଣ ଯଦି ‘ଅନଫଲୋ’ (ଅନୁସରଣ କରିବାକୁ ନାରାଜ) କରି ଦେଉଛନ୍ତି ତେବେ ଏହା ଏକ ଅପରାଧ ଭଳି ବିବେଚନା କରାଯାଉଛି। ଏଭଳି ଏକ ଘଟଣା ଏବେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ବିଭେଦର ଦ୍ବାରଦେଶରେ ଛିଡ଼ା କରାଇ ଦେଇଛି। ବିଶେଷ କରି ପ୍ରଶଂସକମାନେ ଏହାକୁ ଟିକି ନିଖି ଅନୁସରଣ କରୁଥିବାରୁ କିଛି ମୁହୂର୍ତକୁ ବି ଛାଡ଼ୁନାହାନ୍ତି। ଇନଷ୍ଟାଗ୍ରାମରେ ରୋହିତ ଶର୍ମା କେଉଁଠି ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ‘ଅନଫଲୋ’ କରିଦେଇଥିଲେ। ଏଇଠୁ ବିଭେଦର ମଞ୍ଜି ବୁଣାଯାଇଥିଲା। ଏହା ପ୍ରଶଂସକଙ୍କ ନଜରରୁ ଖସି ନ ଥିଲା। ପରିସ୍ଥିତି ଏବେ ଏଭଳି ହୋଇଛି ଯେ ପ୍ରଶଂସକମାନେ ଅନୁମାନ ଲଗାଇ ସାରିଛନ୍ତି କୋହଲି ଏବଂ ରୋହିତଙ୍କ ମଧ୍ୟରେ ବିଭେଦ ରହିଛି। କିଛି ଦିନ ତଳେ କୋହଲିଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ମଧ୍ୟ ଚର୍ଚାରେ ରହିଥିଲା। ସେ ଲେଖିଥିଲେ, ‘ରୋହିତଙ୍କ ଗୋପନୀୟତାର ସତ୍ୟତା ଜାଣିବାକୁ ବହୁ ପ୍ରଶଂସକ ଚାହାଁନ୍ତି’। ଅନୁଷ୍କାଙ୍କୁ ରୋହିତ ‘ଅନଫଲୋ’ କରିଥିଲେ ମଧ୍ୟ ଏହି ବଲିଉଡ୍-କ୍ରିକେଟ୍ ଦମ୍ପତି ତାଙ୍କୁ ଅନଫଲୋ କରିନାହାନ୍ତି। କୋହଲି କିନ୍ତୁ ଅତୀତରେ ଏଭଳି ବହୁବାର କରିଛନ୍ତି। ପୂର୍ବତନ ପ୍ରଶିକ୍ଷକ ଅନିଲ କୁମ୍ବଲେଙ୍କ ସହିତ କୋହଲିଙ୍କ ଚର୍ଚିତ ମତଭେଦ ବେଳେ ପ୍ରଶଂସକମାନେ ଅନେକ କିଛି ଜାଣିପାରିଥିଲେ। କୋହଲି ତାଙ୍କ ସ୍ବାଗତଂ ଟ୍ବିଟ୍କୁ ଡିଲିଟ୍ (ଲିଭାଇବା) କରିବା ସହିତ ‘ଅନଫଲୋ’ କରିଦେଇଥିଲେ। ସେହିଭଳି ବିରାଟ-ଅନୁଷ୍କାଙ୍କ ପ୍ରେମ ସମ୍ପର୍କ ବେଳେ ମନାନ୍ତର ସମୟରେ ଉଭୟ ପରସ୍ପରକୁ ଅନଫଲୋ କରିଥିବାର ନଜିର ରହିଛି।
ରୋହିତଙ୍କ ‘ଅନୁଷ୍କା ଅନଫଲୋ’ ବିଭେଦର ନିଆଁରେ ଘିଅ ଢାଳିବା ଭଳି ହୋଇଥିଲେ ମଧ୍ୟ ଉଭୟ ଅଧିନାୟକ ଏବଂ ଉପ ଅଧିନାୟକ କେବେ ମୁହଁ ଖୋଲି ନାହାନ୍ତି। କୋହଲି ଏବେ ବି ରୋହିତଙ୍କୁ ଫଲୋ କରୁଛନ୍ତି, କିନ୍ତୁ ତାଙ୍କ ପତ୍ନୀ ଋତିକା ସାଜଦେଙ୍କୁ ନୁହେଁ। ଅନୁଷ୍କା ମଧ୍ୟ ରୋହିତ କି ଋତିକାଙ୍କୁ ଫଲୋ କରୁନାହାନ୍ତି। ଋତିକା ମଧ୍ୟ କୋହଲି-ଅନୁଷ୍କାଙ୍କ ଅନୁସରଣ ତାଲିକାଭୁକ୍ତ ନାହାନ୍ତି। ଉଭୟ ଖେଳାଳି କିନ୍ତୁ ମୁହଁ ନ ଖୋଲିବା ପର୍ଯ୍ୟନ୍ତ ବିସିସିଆଇ ଦାୟିତ୍ବରେ ଥିବା ପ୍ରଶାସନିକ ସମିତି (ସିଓଏ) ବିଭେଦ ପ୍ରସଙ୍ଗକୁ ବିଚାରକୁ ନେବ ନାହିଁ ବୋଲି ସ୍ପଷ୍ଟ କରି ଦେଇଛି। ଭାରତୀୟ ଦଳ ଜୁଲାଇ ୯ ତାରିଖରେ ବିଶ୍ବକପ୍ ସେମିଫାଇନାଲ୍ ହାରିବା ପରଠାରୁ ରୋହିତ-କୋହଲି ବିଭେଦ କିନ୍ତୁ ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କ ପ୍ରସଙ୍ଗ ହୋଇରହିଛି।
Comments are closed.