Odisha Link
Bridging the Missing Links in Odisha

୨ଟି କଦଳୀକୁ ୪୪୨ ଟଙ୍କାରେ ବିକି ୨୫,୦୦୦ ତଣ୍ଡ ଗଣିଲା ମାରିଅଟ୍‌ ହୋଟେଲ

ଚଣ୍ଡୀଗଡ଼: ଉପର କଳା ପଡ଼ିଯାଇଥିବା ଦୁଇଟି ମାତ୍ର କଦଳୀ, ଯାହାର ବଜାର ଦର ସର୍ବାଧିକ ୧୦ ଟଙ୍କା ହେବା କଥା, ତାହାକୁ ୪୪୨ ଟଙ୍କା ୫୦ ପଇସାରେ ବିକ୍ରି କରିଛି ବିଶ୍ବର ଅନ୍ୟତମ ପ୍ରସିଦ୍ଧ ହୋଟେଲ ଚେନ୍‌ ଜେଡବ୍ଲୁ ମାରିଅଟ୍। ବଲିଉଡ ତାରକା ରାହୁଲ ବୋଷ୍‌ ଚଣ୍ଡୀଗଡ଼ର ଏହି ହୋଟେଲରେ ରହୁଥିବା ବେଳେ କଦଳୀ ଖାଇବାକୁ ମନ ବଳାଇଥିଲେ। ତେବେ ମାତ୍ର ଦୁଇଟି କଦଳୀ ପାଇଁ ହୋଟେଲ ତାଙ୍କୁ ୪୪୨.୫୦ର ବିଲ୍‌ କରିଥିଲା।

ଗତ ଜୁଲାଇ ୨୨ ତାରିଖରେ ଏ ସମ୍ପର୍କରେ ରାହୁଲ ଟ୍ବିଟ୍‌ କରିବା ପରେ ଦେଶବ୍ୟାପୀ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା। ତାରକା ହୋଟେଲରେ ସେବା ଦୃଷ୍ଟିରୁ କଦଳୀର ଦାମ ଅଧିକ ହେବା ସ୍ବାଭାବିକ। କିନ୍ତୁ ୪୪୨ ଟଙ୍କା ବେଶ୍‌ ଅଧିକ। ମାରିଅଟର ଏଭଳି ଚଢ଼ାଦର ସମସ୍ତଙ୍କୁ ଚକିତ କରିଥିବା ବେଳେ ଚଣ୍ଡୀଗଡ଼ ଅବକାରୀ ଓ ଟିକସ ବିଭାଗ ମଧ୍ୟ ଏହାକୁ ଗୁରୁତ୍ବର ସସହ ବିଚାର କରିଛି।

ଗତକାଲି ବିଭାଗ ପକ୍ଷରୁ ଏ ନେଇ ମାରିଅଟ୍‌ ହୋଟେଲ ଉପରେ ୨୫ ହଜାର ଟଙ୍କାର ଜୋରିମାନା ପକାଯାଇଛି। ଏହା ଭିନ୍ନ ବିଭାଗ ପକ୍ଷରୁ ହୋଟେଲକୁ ଏକ କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଛି।

ଜିଏସଟି ନିୟମ ମୁତାବକ ତାଜା ଫଳ ଉପରେ କୌଣସି ଟିକସ ଲାଗିବନାହିଁ। ଜିଏସଟି ଅଧିନିୟମ ଏଚଏସଏନ ୮୦୩ ଅନୁସାରେ କଦଳୀ (ସଦ୍ୟ ବା ବାଶୁଖିଲା) ଉପରେ କୌଣସି ଟିକସ ଲାଗିବା କଥା ନୁହେଁ। କିନ୍ତୁ ଜେଡବ୍ଲୁ ମାରିଅଟ୍‌ ରାହୁଲ ବୋଷଙ୍କୁ ଉକ୍ତ ବିଲରେ ଦୁଇଟି କଦଳୀ ବାବଦରେ ୬୭ ଟଙ୍କା ୫୦ ପଇସା ଜିଏସଟି ନେଇଛି।

Comments are closed.