Odisha Link
Bridging the Missing Links in Odisha

ବାଲି ହୋଟେଲରୁ ଚୋରି କରି ଧରାପଡ଼ିଲେ ଭାରତୀୟ ପରିବାର, ଦେଖନ୍ତୁ ଭିଡିଓ

ବାଲି: ଅନେକ ଲୋକ ହୋଟେଲ ରୁମ ଛାଡ଼ିବା ବେଳେ ବ୍ୟବହୃତ ବା ଅବ୍ୟବହୃତ ସାମ୍ପୁ, ତେଲ, ସାବୁନ, ପାନିଆ, କମ୍ଫି ସ୍ଲିପର୍, ରୋବ୍‌ ଆଦି ନେଇଆସନ୍ତି। ଏସବୁ ଆଣିବା ପଛରେ କିଛି ଯୁକ୍ତି ବି ଥାଏ। ଏସବୁ ସାମଗ୍ରୀ ଏକକ ବ୍ୟବହାର (ସିଙ୍ଗଲ) ପାଇଁ ହୋଇଥିବାରୁ ଓ ହୋଟେଲ କୋଠରୀ ଭଡ଼ାରେ ଏସବୁ ସାମିଲ ଥିବାରୁ ଅତିଥିମାନେ ଏଗୁଡ଼ିକୁ ନେଇ ଆସିବାକୁ ପସନ୍ଦ କରନ୍ତି।

ତେବେ ହୋଟେଲ ରୁମରେ ଥିବା ସ୍ଥାୟୀ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ଚୋରି କରି ବିଦେଶରେ ଲଜ୍ଜିତ ହୋଇଛନ୍ତି ଏକ ଭାରତୀୟ ପରିବାର। ପିଲାମାନଙ୍କ ସହ ବାଲି ଦ୍ବୀପକୁ ଭ୍ରମଣରେ ଯାଇଥିବା ଏକ ଭାରତୀୟ ଦମ୍ପତିଙ୍କର ଚୋରି କ୍ୟାମେରା ସମାନାରେ ଧରାପଡ଼ିଯାଇଛି।

ଲୋଭର ବଶବର୍ତ୍ତୀ ହୋଇ ମସ୍ତବଡ଼ ଭୁଲ କରିଦେଇଛନ୍ତି ଏହି ଭାରତୀୟ ପରିବାର। ହୋଟେଲ ଛାଡ଼ିବା ପୂର୍ବରୁ ନିଜ କୋଠରୀରେ ଥିବା ସବୁତକ ବ୍ୟବହାର ସାମଗ୍ରୀ ଯଥା ବ୍ଲୋ-ଡ୍ରାୟର, ହ୍ୟାଙ୍ଗର ଆଦି ଲଗେଜ୍‌ ବ୍ୟାଗରେ ଭର୍ତ୍ତି କରି ନେଇ ଆସିଥିଲେ ଏହି ଦମ୍ପତି।

ସେମାନେ ଟାକ୍ସି ଭଡ଼ା କରି ସାରିଥିଲେ। ଟାକ୍ସିରେ ବି ଜିନିଷପତ୍ର ସବୁ ଲଦା ସରିଥିଲା। କିଛି ମିନିଟ୍‌ ଭିତରେ ସେମାନେ ବିମାନବନ୍ଦର ଅଭିମୁଖେ ବାହାରିଥା’ନ୍ତେ। ସେପଟେ ହୋଟେଲର ରୁମ୍‌ ସର୍ଭିସ ବୟ କୋଠରୀରୁ ସାମଗ୍ରୀ ସବୁ ହଜିଯାଇଥିବା ନେଇ ତୁରନ୍ତ ମ୍ୟାନେଜରଙ୍କୁ ସୂଚନା ଦେଲେ। ଏ ଦମ୍ପତି ଠିକ ଗାଡ଼ିରେ ବସିବାକୁ ଯାଉଛନ୍ତି, କାଳବିଳମ୍ବ ନ କରି ସେଠାରେ ପହଞ୍ଚିଗଲେ ହୋଟେଲ ମ୍ୟାନେଜର। ସାଙ୍ଗରେ ତାଙ୍କର ସିକ୍ୟୁରିଟି ଗାର୍ଡି ବି ଥିଲେ। ଗୋଟିଏ ପରେ ଗୋଟିଏ ବ୍ୟାଗ୍‌ ସେମାନେ ତନଖି କଲେ। ବ୍ୟାଗ୍‌ ଭିତରେ ହୋଟେଲର ଦାମୀ ସାମଗ୍ରୀ ସବୁ ଦେଖି ତାଜୁବ ହୋଇଗଲେ ହୋଟେଲ କର୍ତୃପକ୍ଷ।

ଭିଡିଓରେ ଦେଖିବାକୁ ମିଳୁଛି ମ୍ୟାନେଜର ପୁଲିସ ଡାକିବେ ବୋଲି ଧମକ ଦେଉଛନ୍ତି। ମହିଳା ଜଣକ କ୍ଷମା ମଗୁଥିବା ବେଳେ ତାଙ୍କ ସ୍ବାମୀ ହାତଯୋଡ଼ି ଭୁଲ ସ୍ବୀକାର କରୁଛନ୍ତି। ଆଉ ଏସବୁ ଅପ୍ରୀତିକର ଘଟଣାକୁ ଚୁପଚାପ ଦେଖୁଛନ୍ତି ଦମ୍ପତିଙ୍କର ଦୁଇଝିଅ। ଗାଡ଼ି ଭିତରେ ଆଉ କିଛି ବ୍ୟକ୍ତି ବି ବସିଥିବା ଦେଖିବାକୁ ମିଳୁଛି। ଭିଡିଓରେ ମହିଳା ଜଣକ ଫ୍ଲାଇଟ୍‌ ଧରିବାରେ ବିଳମ୍ବ ହୋଇଯିବ ବୋଲି କହୁଥିବା ଶୁଣିବାକୁ ମିଳୁଛି। ସେ ଚୋରି ସାମଗ୍ରୀ ବାବଦରେ କେତେ ଟଙ୍କା ଦେବେ ବୋଲି ବି କହୁଛନ୍ତି। ‘ଟଙ୍କା ମୁଁ ଦେବି’ ବୋଲି ଗୋଟିଏ ପୁରୁଷ କଣ୍ଠସ୍ବର ଶୁଣାଯାଉଛି। ହୋଟେଲ କର୍ମଚାରୀ ଟଙ୍କା ନେବକୁ ମନା କରୁଛନ୍ତି। ଭିଡିଓରେ ଭାରତୀୟ ପରିବାରର ଅଉ ଜଣେ ବ୍ୟକ୍ତି ଓ ଆଉ ଜଣେ ଛୋଟ ଝିଅ ବି ଦେଖାଯାଉଛି।

ହୋଟେଲ କର୍ମଚାରୀ ଜଣକ ଭାରତୀୟ ପରିବାରର ବ୍ୟାଗରୁ ବିଭିନ୍ନ ସାଜସଜ୍ଜା ଦ୍ରବ୍ୟ, ବୈଦ୍ୟୁତିକ ଉପକରଣ, ଟାଓ୍ବେଲ, ହାଙ୍ଗର ଓ ଟଏଲେଟ ଉପକରଣ ଆଦି କାମି ରଖୁଥିବା ଦେଖିବାକୁ ମିଳୁଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଦେଶ ଭ୍ରମଣରେ ଯାଇଥିବା ଏ ପରିବାର ସାମାନ୍ୟ କେତୋଟି ଲୋଭନୀୟ ଦ୍ରବ୍ୟ ଚୋରି କରି ନିଜେ ଲଜ୍ଜିତ ହେବା ସହ ବିଦେଶରେ ଭାରତର ନାମକୁ ମଧ୍ୟ ବଦନାମ କରିଛନ୍ତି।

Comments are closed.