Odisha Link
Bridging the Missing Links in Odisha

ଦୁଇଟି ଜିଲ୍ଲାରେ ଡେଙ୍ଗୁ ଭୟ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଗାଁରେ ଡେଙ୍ଗୁ ଭୟ ଦେଖା ଦେଇଛି। ଗାଁର ପ୍ରାୟ ୧୦୦ରୁ ଅଧିକ ଲୋକ ଭୂତାଣୁ ଜନିତ ଜ୍ୱରରେ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜଣଙ୍କ ରକ୍ତ ପରୀକ୍ଷାରୁ ସେମାନେ ଡେଙ୍ଗୁରେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ସମସ୍ତ ଆକ୍ରାନ୍ତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଡେଙ୍ଗୁ ବ୍ୟାପିବା ପରେ ଗାଁରେ ଏକ ଡାକ୍ତରୀ ଟିମ୍ ପହଞ୍ଚି ଅସୁସ୍ଥଙ୍କ ରକ୍ତ ନମୂନା ସଂଗ୍ରହ କରିଛନ୍ତି। ତେବେ ଗାଁରେ ଆହୁରି କିଛି ଲୋକ ଅସୁସ୍ଥ ଥିବା ଏବଂ ସେମାନଙ୍କ ପାଇଁ ଚିକିତ୍ସା ସୁବିଧା ନ ଥିବାରୁ ଗାଁରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମୁତୟନ କରିବାକୁ ଲୋକେ ଦାବି କରିଛନ୍ତି।
ସେହିପରି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ୍‌ ଦୋରାଗୁଡ଼ା ପଞ୍ଚାୟତରେ ମଧ୍ୟ ଡେଙ୍ଗୁ ଆତଙ୍କ ଦେଖିବାକୁ ମିଳିଛି। ଦୋରାଗୁଡ଼ାରେ ଥିବା ସେବାଶ୍ରମ ବିଦ୍ୟାଳୟର ଜଣେ ଛାତ୍ର ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଛାତ୍ରଙ୍କ ରକ୍ତ ନମୁନା ଡେଙ୍ଗୁ ପଜିଟିଭ୍ ଥିବା ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର କହିଛନ୍ତି। ସେବାଶ୍ରମରେ କିଛି ଛାତ୍ର ଜ୍ୱରରେ ପୀଡିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ୫ ଜଣ ଛାତ୍ରଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ଜଣେ ଛାତ୍ରଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଛି। ଅନ୍ୟ ୪ ଜଣଙ୍କୁ ମ୍ୟାଲେରିଆ ହୋଇଥିବା ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର କହିଛନ୍ତି।
ତେବେ ଆକ୍ରାନ୍ତ ଥିବା ଛାତ୍ରଙ୍କ ନିକଟରେ ଡେଙ୍ଗୁ ଜ୍ୱରର କୌଣସି ଲକ୍ଷଣ ଦେଖା ଯାଉ ନ ଥିବାରୁ କିଛି ଦିନ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବା ପରେ କୋରାପୁଟ ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ ଅଫିସର ସୂଚନା ଦେଇଛନ୍ତି। ପୂର୍ବରୁ ଏହି ସେବାଶ୍ରମର ଜଣେ ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିଲା। ଏହା ଡେଙ୍ଗୁ ଯୋଗୁ ହୋଇଥିବା ଅଭିଯୋଗ ହୋଇଛି।

Comments are closed.