Odisha Link
Bridging the Missing Links in Odisha

ସତ ମାନିଲା : ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ସ୍ୱୀକାର କଲା ନାରାୟଣ

କଟକ: କଟକ ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତ ନୟାଗଡ଼ର ନାରାୟଣ ସାହୁକୁ ଗିରଫ କରାଯାଇଛି । ଆଜି ତାକୁ କୋର୍ଟଚାଲାଣ କରାଯିବ । ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ଅଖିଳେଶ୍ୱର ସିଂହ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ୩ଟି ହତ୍ୟାକାଣ୍ଡରୁ ୨ଟିରେ ନାରାୟଣ ସମ୍ପୃକ୍ତ ଥିବା ତଥ୍ୟ ପ୍ରମାଣ ମିଳିଛି । ଓଏମପି ଛକରେ ୨ ଜଣଙ୍କୁ ହତ୍ୟା ନେଇ ନାରାୟଣ ବିରୋଧରେ ତଥ୍ୟ ପ୍ରମାଣ ମିଳିଛି । ରାଣୀହାଟ କେନାଲ ରୋଡ ହତ୍ୟା ନେଇ ଅଧିକ ତଦନ୍ତ ଚାଲୁ ରହିଛି । ଅଭିଯୁକ୍ତ ନାରାୟଣକୁ ରିମାଣ୍ଡରେ ଅଣାଯିବା ସହ ଅଧିକ ଜେରା କରାଯିବ ବୋଲି ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି ।

ଆଜି ସାଇକୋ କିଲରକୁ ଧରି ହତ୍ୟାକାଣ୍ଡର ସ୍ଥାନ ବୁଲିଥିଲା କମିଶନରେଟ ପୋଲିସ । ଗିରଫ ନାରାୟଣ ସାହୁକୁ ବାରମ୍ୱାର ଜେରା କରିବା ପରେ ଆଜି ରାଣୀହାଟ, ଓଏମପି ଛକରେ ଘଟଣା ସ୍ଥଳକୁ ନେଇ ଯାଂଚ କରିଥିଲା ପୋଲିସ । ଫରେନସିକ୍ ଟିମ୍ ଅଭିଯୁକ୍ତ ନାରାୟଣ ସାହୁକୁ ନେଇ ହତ୍ୟାକାଣ୍ଡ ସ୍ଥଳରେ ଅନୁଧ୍ୟାନ କରିବା ସହ ସେ ରହୁଥିବା ସ୍ଥାନକୁ ବି ବୁଲି ଦେଖିଥିଲା । ତଦନ୍ତ ବେଳେ ପୋଲିସକୁ ମିଳିଥିଲା କିଛି ସୁରାକ୍ । ହତ୍ୟାରେ ବ୍ୟବହାର କିଛି ସମାଗ୍ରୀକୁ ପୋଲିସ ଜବତ କରିିଛି । ଏହା ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିଲା କି ନାହିଁ ଫରେନସିକ୍ ଲ୍ୟାବକୁ ପଠାଯିବ ବୋଲି ପୋଲିସ କହିଛି ।

ଏଠାରେ ସୂଚନା ଯୋଗୃ ଯେ, ନାରାୟଣ ହତ୍ୟା କରିନାହାନ୍ତି, ତାଙ୍କୁ ଫସାଇ ଦିଆଯାଇଥିବା ନାରାୟଣଙ୍କ ପତ୍ନୀ ଗୀତାଞ୍ଜଳି ଗତକାଲି ଅଭିଯୋଗ କରିଥିଲେ । ଏନେଇ ସେ ଗତକାଲି ନୟାଗଡ଼ ଏସପିଙ୍କୁ ଭେଟି ଏହି ଅଭିଯୋଗ ଆଣିଥିଲେ ।
ସେ କହିଥିଲେ ଯେ, ତାଙ୍କ ସ୍ୱାମୀଙ୍କୁ ମିଛରେ ଫସାଇ ଦିଆଯାଇଛି । ତାଙ୍କ ସ୍ୱାମୀ ବ୍ୟବସାୟ ପାଇଁ ବହୁ ଧାର କରଜ କରିଥିଲେ । ଋଣ ଶୁଝିବା ପାଇଁ ୧୮ ଲକ୍ଷର ଘରକୁ ୭ଲକ୍ଷରେ ବନ୍ଧା ପକାଇଥିଲେ । ବନ୍ଧକ ରଖିଥିବା ଲୋକ ୩ ଲକ୍ଷ ଦେଇ ମାଡ଼ମାରି ରେଜିଷ୍ଟ୍ରୀ କରାଇ ନେଇଥିଲା । ସେହି ଘଟଣା ପରଠାରୁ ସ୍ୱାମୀ ପାଗଳ ହୋଇ ଘର ଛାଡ଼ି ବୁଲୁଥିଲେ । ଗତ ୨୨ ତାରିଖ ଦିନ ଗାଁକୁ ଆସି ୨୪ ତାରିଖ ଦିନ ବି ଘରେ ରହିଥିଲେ । ସେ ଗାଁରେ ଥିବାବେଳେ ପୁଲିସ ହତ୍ୟା କରିଥିବା କହୁଛି । ତାଙ୍କୁ ମିଛରେ ଫସାଇ ଦିଆଯାଇଥିବା କହି ନ୍ୟାୟ ଦିଆଯାଉ ବୋଲି ଗୀତୀଞ୍ଜଳି ନୟାଗଡ଼ ଏସପିଙ୍କୁ କହିଥିଲେ ।

Comments are closed.