Odisha Link
Bridging the Missing Links in Odisha

ବିଧାନସଭାରେ ଦୁଃଖ ପ୍ରକାଶ କଲେ ବିଷ୍ଣୁ

ଭୁବନେଶ୍ବର : ଶେଷରେ ପଶ୍ଚାତାପ କରି ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକଦଳ ଉପନେତା ବିଷ୍ଣୁଚରଣ ସେଠୀ । ଗତାକାଲି ବିଧାନସଭାରେ ମୁସଲିମ ମହିଳାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଶେଷରେ ଦୁଃଖ ପ୍ରକାଶ କରିଛନ୍ତି ବିଷ୍ଣୁ । କାରଣ ଘଟଣାକୁ ନେଇ ବିଧାନସଭାରେ ହଟ୍ଟଗୋଳ ଏବଂ ବାରମ୍ବାର ଗୃହ ଅଚଳ ହେବାରୁ ବିଷ୍ଣୁ ସେଠୀଙ୍କୁ ଡାକି ଆଲୋଚନା କରିଛନ୍ତି ବାଚସ୍ପତି ।
ସେପଟେ ବିଷ୍ଣୁଙ୍କ ବିବାଦୀୟ ବୟାନ ନେଇ କଂଗ୍ରେସର ହଟ୍ଟଗୋଳ । ବିଷ୍ଣୁଙ୍କ କ୍ଷମା ଦାବି କରି ଗୃହ ଆରମ୍ଭରୁ ହୋହଲ୍ଲା କରିଛନ୍ତି କଂଗ୍ରେସ ସଦସ୍ୟ । ଯାହା ଫଳରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଆଉ ତାରା କହିଛନ୍ତି, ରାଜ୍ୟରେ ଯେଭଳି ବିଜେଡି-ବିଜେପି ଭାଇ ଭାଇ , ଠିକ୍ ସେମିତି ଗୃହରେ ମଧ୍ୟ ତାହା ଦେଖିବାକୁ ମିଳୁଛି । କାରଣ ନାରୀ ଜାତିକୁ ସମ୍ମାନ ସ୍ଲୋଗାନ ଦେଉଥିବା ବିଜୁ ଜନତା ଦଳ ଗତକାଲି ବିଷ୍ଣୁଙ୍କ ବୟାନ ପରେ ବସିଛି । ବିଭିନ୍ନ ବିଲକୁ ସମର୍ଥନ କରୁଥିବା ବିଜେଡି ଏପ୍ରସଙ୍ଗରେ ଚୁପ୍ ବସିଛି । ଆମର ଦାବି ବିଷ୍ଣୁ ଦେଇଥିବା ବିବାଦୀୟ ବୟାନ ପାଇଁ ସେ କ୍ଷମା ମାଗନ୍ତୁ ଏବଂ ତାଙ୍କ ବିରୁଦ୍ଧରେ ବାଚସ୍ପତି ରୁଲିଂ ଡାକି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଅନ୍ୟପକ୍ଷରେ , ବିଷ୍ଣୁଙ୍କ ବିବାଦୀୟ ବୟାନରେ ଦଳର କୌଣସି ସଂପୃକ୍ତି ନଥିବା କହିଛି ବିଜେଡି । ଏହା ବିରୋଧୀ ଦଳ ଉପନେତାଙ୍କ ନିଜସ୍ୱ ବିବୃତି । ନିର୍ଦ୍ଦିଷ୍ଟ ସଂପ୍ରଦାୟର ମହିଳାଙ୍କ ପ୍ରତି ଏଭଳି ମନ୍ତବ୍ୟ ଆପତିଜନକ । ଗୃହର ମର୍ଯ୍ୟାଦା ଦୃଷ୍ଟିରୁ କୌଣସି ନିର୍ଦ୍ଦିଷ୍ଟ ସଂପ୍ରଦାୟ ପ୍ରତି ଯେହେତୁ ଆକ୍ଷେପ ରହିଛି ତାକୁ ପ୍ରତ୍ୟାହାର କରିନେବା ଉଚିତ । ସବୁଠାରୁ ବଡ଼କଥା ହେଲାକି , ଶେଷରେ ବିଷ୍ଣୁ ପଶ୍ଚାତାପ କରି ତାଙ୍କ ମନ୍ତବ୍ୟକୁ ବିବୃତିରୁ ବାଦ୍ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ।

Comments are closed.