ଯୁବ ପେସ୍ ବୋଲର ସାଇନିଙ୍କୁ ଚେତାବନୀ

ଲାଉଡରହିଲ୍: ଟିମ୍ ଇଣ୍ଡିଆ ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଅଛି। ଟିମ୍ ଇଣ୍ଡିଆର ଯୁବ ଖେଳାଳି ମଧ୍ୟ ଖୁବ୍ ଭଲ ପ୍ରଦର୍ଶନ କରୁଛନ୍ତି। ହେଲେ ଟିମ୍ ଇଣ୍ଡିଆର ଯୁବ ପେସ୍ ବୋଲର ନଭଦୀପ ସାଇନିଙ୍କୁ ଚେତାବନୀ ଦେଇଛି ଆଇସିସି। ନଭଦୀପ ସାଇନିଙ୍କୁ ନିଜର ଅନ୍ତର୍ଜାତୀୟ ପଦାର୍ପଣରେ ହିଁ ଚେତାବନୀ ମିଳିଛି। ଶନିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ସାଇନି ଆଇସିସି ଆଚାର ସଂହିତା ଉଲ୍ଲଙ୍ଘନ କରିଥିଲେ, ଯେଉଁକାରଣରୁ ତାଙ୍କୁ କେବଳ ଔପଚାରିକ ଭାବେ ଚେତାବନୀ ଦିଆଯାଇ ଛଡ଼ାଯାଇଛି।
ସାଇନି ଆଇସିସିର ଧାରା ୨.୫ର ଉଲ୍ଲଙ୍ଘନ କରିଛନ୍ତି, ଯେଉଁଥିରେ ଖେଳାଳି, କୋଚିଂ ଷ୍ଟାଫଙ୍କ ବିରୋଧରେ ଅଶ୍ଳୀଳ ଭାଷା କିମ୍ବା ଇଙ୍ଗୀତର ପ୍ରୟୋଗ କରିବା ଆଦି ରହିଛି, ଯାହା ସାମ୍ନା ବ୍ୟକ୍ତିଙ୍କୁ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ପ୍ରରୋଚିତ କରିପାରେ। ଏହି ଭୁଲ୍ ପାଇଁ ସାଇନିଙ୍କୁ ମଧ୍ୟ ଏକ ଡିମେରିଟ୍ ପଏଣ୍ଟ ମଧ୍ୟ ମିଳିଛି।
ଏହା ସାଇନିଙ୍କ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଇନିଂସର ଚତୁର୍ଥ ଓଭରରେ ସାଇନି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍ ନିକୋଲାସ ପୁରନଙ୍କୁ ଆଉଟ କରିଥିଲେ ଏବଂ ତାଙ୍କୁ ଭୁଲ୍ ଢ଼ଙ୍ଗରେ ବିଦାୟ ଦେଇଥିଲେ। ସାଇନି ନିଜ ଭୁଲ ମାନିଥିଲେ ଏବଂ ରେଫରୀ ଜେଫ୍ କ୍ରୋ’ଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡକୁ ସ୍ୱୀକାର କରିଛନ୍ତି। ଏହି କାରଣରୁ ସାଇନିଙ୍କ ବିରୋଧରେ କୌଣସି ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ହୋଇନଥିଲା ବୋଲି ପ୍ରକାଶ ପାଇଛି।