Odisha Link
Bridging the Missing Links in Odisha

କାଳିଆ ଯୋଜନାରୁ ବାଦ୍ ପଡିବେ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର : ଟଙ୍କା ଲୋଭରେ କାଳିଆ ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ସତର୍କ ଘଣ୍ଟି। ନିଜକୁ ଚାଷୀ କହି ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଏବେ ସାବଧାନ ହେବାକୁ ପଡ଼ିବ। କାରଣ ସେମାନଙ୍କୁ ଉକ୍ତ ଯୋଜନାରୁ ବାଦ ଦିଆଯିବ। ନିଜ ଆଡ଼ୁ ସେମାନେ ଏନେଇ ଦରଖାସ୍ତ ଦେଇ ଯୋଜନାରୁ ଓହରିପାରିବେ। ଏମିିତି ନକଲେ ସରକାରଙ୍କ ତରଫରୁ ସେମାନଙ୍କୁ ଚିହ୍ନଟ କରି ବାଦ ଦିଆଯିବ। ଅଗଷ୍ଟ ୬ରୁ ୧୪ ତାରିଖ ଯାଏଁ ଯାଞ୍ଚ ହେବାକୁ ଥିବାବେଳେ ତାଲିକାରୁ ବାଦ ପାଇଁ ଅଯୋଗ୍ୟ ହିତାଧିକାରୀ ଆବେଦନ କରିପାରିବେ। ଏନେଇ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ତାଲିକା ଟଙ୍ଗା ଯାଇଛି। ଯେଉଁମାନେ ଯୋଗ୍ୟ ନୁହନ୍ତି, ସେମାନେ ନିଜ ଆଡ଼ୁ କହିପାରିବେ। ଦରଖାସ୍ତ ଦେଇ ନିଜକୁ କାଳିଆ ଯୋଜନାରୁ ବାଦ ଦେବାକୁ ହିତାଧିକାରୀ କହିପାରିବେ। ଏଯାବତ ଆମ ପାଖରେ ୧ କୋଟି ଦରଖାସ୍ତ ପଡ଼ିଛି। ଅଯୋଗ୍ୟଙ୍କୁ ବାଦ ଦେବା ଓ ଯୋଗ୍ୟଙ୍କୁ ଯୋଜନାରେ ସାମିଲ କରିବା ଆମର ଲକ୍ଷ୍ୟ। ଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବାକୁ କମିଟି ଗଠନ କରାଯାଇଛି। ପ୍ରତି ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି । ୫୧ ଲକ୍ଷ କାଳିଆ ହିତାଧିକାରୀଙ୍କ ନାମ ୱେବସାଇଟରେ ଦିଆଯାଇଛି। ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଅଛନ୍ତି। ସବୁ ପଞ୍ଚାୟତରେ ବି ହିତାଧିକାରୀ ତାଲିକା ଟଙ୍ଗା ଯାଇଛି। ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ତାଲିକା ଟଙ୍ଗା ଯାଇଥିବା କୃଷି ସଚିବ ସୌରଭ ଗର୍ଗ ସୂଚନା କହିଛନ୍ତି।
ଉଲ୍ଲେଖ ଥାଉ କି, କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ ହୋଇଥିବା ନେଇ ବିରୋଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଜୁଲାଇ ୨୮ ତାରିଖରେ ଖୋଦ୍ ବିଜେଡି ବିଧାୟକମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କୁ ‘କାଳିଆ’ ସହାୟତା ତାଲିକାରେ ସଂଯୁକ୍ତ କରାଯାଇଛି। କେଁଉଠି ନା କେଉଁଠି ହିତାଧିକାରୀ ଚିହ୍ନଟ କରିବାରେ ତ୍ରୁଟି ରହୁଛି ବୋଲି ବିଧାନସଭାରେ ସଦସ୍ୟମାନେ କହିଥିଲେ।

Comments are closed.