Odisha Link
Bridging the Missing Links in Odisha

କଶ୍ମୀର ପାଇଁ ଜୀବନ ଦେବାକୁ ପଛେଇବୁ ନାହିଁ : ଅମିତ୍‌ ଶାହ

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି ।ଏହି ବିଲ୍‌କୁ ଗତକାଲି ରାଜ୍ୟସଭାରେ ମଞ୍ଜୁରୀ ମିଳିସାରିଛି। ଏହି ବିଲ୍‌ରେ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରିବାର ପ୍ରାବଧାନ ରହିଛି। ବିରୋଧଙ୍କ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଆଗତ କରିଛନ୍ତି।

ସେ ବିଲ୍‌ ଉପସ୍ଥାପନ କରି ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେ ବି ଆମର ବୋଲି କହିଛନ୍ତି। ଶ୍ରୀ ଶାହ କହିଛନ୍ତି, “ଜମ୍ମୁ-କଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ। ପିଓକେ ମଧ୍ୟ ଏହା ମଧ୍ୟରେ ଆସୁଛି। ଆମେ କଶ୍ମୀର ପାଇଁ ଜୀବନ ଦେବାକୁ ପ୍ରସ୍ତୁତ। କଶ୍ମୀର ସମସ୍ୟାର ସମାଧାନ ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି। କ’ଣ କଂଗ୍ରେସ ପୂର୍ବଭଳି ଜମ୍ମୁ-କଶ୍ମୀର ସମସ୍ୟାର ସମାଧାନ ପାଇଁ ଜାତିସଂଘ ସଂକଳ୍ପ ଆଣୁ ବୋଲି ଚାହୁଁଛି କି? କଶ୍ମୀର ବିକାଶ ହେଉଛି ଆମର ମୂଳ ଏଜେଣ୍ଡା।”

ତେବେ ଏହି ବିଲକୁ ରାଜ୍ୟସଭା ପରି ଲୋକସଭାରେ ମଧ୍ୟ କଂଗ୍ରେସ ବିରୋଧ କରିଛି। କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, “ମୁଁ ଭାବୁଛି ଆପଣ କେବେ ହେଲେ ପିଓକେ କଥା ଚିନ୍ତା କରୁନାହାନ୍ତି। ଆପଣମାନେ ସମ୍ବିଧାନର ନିୟମକୁ ଉଲ୍ଲଙ୍ଘନ କରି ଗୋଟିଏ ରାଜ୍ୟକୁ ରାତାରାତି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଦେଇଛନ୍ତି।” ଏହାର କଡ଼ା ପ୍ରତିକ୍ରିୟା ରଖିଛନ୍ତି ଗୃହମନ୍ତ୍ରୀ । ସେ କହିଛନ୍ତି, ‘‘ଯେତେବେଳେ ଜାମ୍ମୁ ଓ କାଶ୍ମୀର କହୁଛି ସେତେବେଳେ ଏଥିରେ ପାକିସ୍ତାନ ଅଧିକୃତ କାଶ୍ମୀର ଓ ଅକସାଇ ଚିନ୍‌ ମଧ୍ୟ ଆସୁଛି । କାଶ୍ମୀର ପାଇଁ ଆବଶ୍ୟକ ହେଲେ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତି ଅଛି ।’’ ମୁଁ କେଉଁ ନିୟମ ଉଲ୍ଲଂଘନ କରିଛି ବୋଲି ଶାହା ପ୍ରଶ୍ନ କରିଛନ୍ତି ।

କଂଗ୍ରେସର ମନୀଷ ତିୱାରୀ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ବର୍ତ୍ତମାନ ଏହା ଉପରେ ଲୋକସଭାରେ ବିତର୍କ ଚାଲିଛି। ସନ୍ଧ୍ୟାରେ ବିଲ୍‌ ଉପରେ ଭୋଟ ହେବ। ବିଜେପି ପାଖରେ ବିଲ୍‌ ପାସ୍‌ ପାଇଁ ଲୋକସଭାରେ ଆବଶ୍ୟକ ସଂଖ୍ୟା ଥିବାରୁ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ପାସ ହେବା ଏକ ପ୍ରକାରର ନିଶ୍ଚିତ।

Comments are closed.