ନୟାଗଡ଼: ୫ ପୋଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼: ତୃତୀୟ ଥର ପାଇଁ ଚମ୍ପଟ ମାରିଥିବା ବିଚାରାଧିନ ବନ୍ଦୀ ତପନ ରାଉତ ଘଟଣାରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଶଶୀ ଭୂଷଣ ଶତପଥି କର୍ତ୍ୟବ୍ୟରେ ଅବହେଳା ପାଇଁ ଜଣେ ହାବିଲଦାର ସମେତ ୫ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବନ କରିଛନ୍ତି।
ଥରେ ନୁହେଁ କି ଦୁଇ ଥର ନୁହେଁ ତିନି ତିନି ଥର ଚମ୍ପଟ ମାରିଲା ଏହି କଏଦୀ ତପନ ରାଉତ। ତପନକୁ ଏକ ଭ୍ୟାନ ରେ ଖଣ୍ଡପଡା ସବ ଜେଲରୁ ଭାପୁର କୋର୍ଟ ନେବା ବେଳେ ସେ ଦୌଡ଼ି ଖସି ପଳାଇଲା। ଆଗରୁ ଦୁଇ ଦୁଇ ଥର ଖଣ୍ଡପଡା ସବ-ଜେଲର ଅଭେଦ୍ୟ ସୁରକ୍ଷାକୁ ଚ୍ୟାଲେଞ୍ଜ କରି ଖସି ଯିବାକୁ ସକ୍ଷମ ହୋଇଥିଲା ବନ୍ଦୀ ଜଣକ। ତେବେ ୨ ଥର ସେ ଧରାପଡିଯାଇଥିଲା।
ତପନର ଘର ଫତେଗଡ଼ ଥାନା ଅଧିନ କରବର ଗାଁ ହାଡୁଆସାହିର ବୋଲି ଜଣା ପଡ଼ିଛି। ଫତେଗଡ଼ ପୋଲିସ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତାକୁ କୋର୍ଟ ଚାଲାଣ କରିଥିଲା। ତେବେ ତା’ର ଜାମିନ ନାମଞ୍ଜୁର ହେବାରୁ ସେ ଏହି ଉପ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଥିଲା।
ଗତ ମେ ମାସ ୧୦ ତାରିଖ ଦିନ ତପନ ଜେଲ କର୍ମଚାରୀଙ୍କୁ ଚକମା ଦେଇ ଖସି ପଳାଇ ଥିଲା। ମାତ୍ର ଖଣ୍ଡପଡା ଏବଂ ଫତେଗଡ଼ ପୋଲିସ ମିଳିତ ଚଢ଼ାଉ କରି ତାକୁ ମେ ୧୧ ତାରିଖ ଦିନ ଧରିଥିଲେ। ଏ ନେଇ ଖଣ୍ଡପଡା ଥାନାରେ ଏକ ମାମଲା ହେବା ସହ ଜଣେ ଜେଲ କର୍ମଚାରୀ ନିଲମ୍ବନ ହୋଇଥିଲେ। ଗତ ୩ ତାରିଖ ରେ ଜିଲ୍ଲା ଜଜ୍ ପରିଦର୍ଶନ କରିବାକୁ ଆସୁଥିବାରୁ ଜେଲ ଅନ୍ତେବାସୀ ମାନେ ସଫେଇ କରୁଥିବା ବେଳେ ତପନ ପୁଣି ଥରେ ଖସି ପଳାଇ ଯିବାକୁ ସକ୍ଷମ ହୋଇଥିଲା। ତେବେ ତାକୁ ପୋଲିସ ତା’ ଗାଁ କରବର ନିକଟରୁ ଧରିଥିଲା। ଏହି ଘଟଣାରେ ମଧ୍ୟ ଜଣେ ଜେଲ ୱାର୍ଡର ନିଲମ୍ବିତ ହୋଇଥିଲେ। ତେବେ ୩ୟ ଥର ପାଇଁ ପୁଣି ତପନ ଖସି ଯିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ଏହି ଘଟଣାରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ କାର୍ତ୍ୟବ୍ୟରେ ଅବହେଳା ପାଇଁ ଜଣେ ହାବିଲଦାର ସମେତ ୫ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି।