ଆଦିତ୍ୟ ପାଢ଼ୀ ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର। ଏସଂକ୍ରାନ୍ତୀୟ ନିଯୁକ୍ତି ପ୍ରସ୍ତାବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ ପ୍ରଦାନ କରିଛନ୍ତି। ଅପରପକ୍ଷରେ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଶ୍ରୀ ପାଢ଼ୀ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ। ତେବେ ତାଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ନିଷ୍ପତି ନେଇଥିଲେ। ଏସଂକ୍ରାନ୍ତୀୟ ଫାଇଲ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ଯାଇଥିଲା। ରାଜ୍ୟପାଳ ଅନୁମୋଦନ ଦେବା ପରେ ତାଙ୍କର ସ୍ୱେଚ୍ଛାକୃତ ଅବସର ପ୍ରସ୍ତାବକୁ ଗ୍ରହଣ କରାଯିବାର ଯୋଜନା ଥିଲା। ଏବେ ତାଙ୍କ ନିଯୁକ୍ତି ପ୍ରସ୍ତାବକୁ ରାଜ୍ୟପାଳ ଅନୁମୋଦନ କରିଥିବାରୁ ଶ୍ରୀ ପାଢ଼ୀଙ୍କ ଅବସର ଆବେଦନକୁ ସରକାର ଗ୍ରହଣ କରିବେ। ତେବେ ତାଙ୍କ ସ୍ଥାନରେ କିଏ ମୁଖ୍ୟ ଶାସନ ସଚିବ ହେବେ ତାହାକୁ ନେଇ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।