Odisha Link
Bridging the Missing Links in Odisha

ପାଟକୁରା ପରେ ବିଜେପୁର ପାଇଁ ସଜବାଜ

ଭୁବନେଶ୍ବର: ପାଟକୁରା ନିର୍ବାଚନ ପରେ ଏବେ ସାରା ରାଜ୍ୟରେ ବିଜେପୁର ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଅଙ୍କକଷିବା ଆରମ୍ଭ କରିଦେଲେଣି।

ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଜେପୁରରେ ପୁଣି ଥରେ ବାଜିମାତ୍‌ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହେଲାଣି। କାହାକୁ ବିଜେପୁରରୁ ପ୍ରାର୍ଥୀ କରାଯିବ, କେଉଁ ପ୍ରସଙ୍ଗକୁ ଆୟୁଧ କରି ଭୋଟ ମଗାଯିବ ସେ ନେଇ ଆରମ୍ଭ ହେଲାଣି ମାନସମନ୍ଥନ। ଅପରପକ୍ଷେ ବିଜେପି ମଧ୍ୟ ଏହି ଦୈାଡ଼ରୁ ବାଦ ପଡ଼ିନାହିଁ। ଜୁଲାଇ ୬ ତାରିଖରୁ ସାରା ରାଜ୍ୟରେ ବିଜେପି ତାର ସଦ୍ୟସତା ସଂଗ୍ରହ ଅଭିଯାନ ଆରମ୍ଭ କରିଛି।

ଅପରପକ୍ଷେ ବିଜେପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସେ ଅଞ୍ଚଳରେ ସଦ୍ୟସତା ସଂଗ୍ରହ ଅଭିଯାନକୁ ବ୍ୟାପକ କରିଛି। ସାଧାରଣ ନିର୍ବାଚନ ଓ ପାଟକୁରା ନିର୍ବାଚନରେ ନୈରାଶ୍ୟଜନକ ପଦର୍ଶନ କରିଥିବା କଂଗ୍ରେସ ଦଳ ବିଜେପୁର ଉପନିର୍ବାଚକୁ ବେଶ୍‌ ଗୁରୁତ୍ବର ଭାବେ ନେଇଛି। କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇସାରିଛି। ବିଜେପୁର ଉପନିର୍ବାଚନକୁ ଦୃଷ୍ଠିରେ ରଖି ଏକ ୯ ଜଣିଆ କମିଟି ମଧ୍ୟ ଗଠନ କରିଛି କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କମିଟିର ଅଧ୍ୟକ୍ଷ ଅଛନ୍ତି। ଏହି କମିଟି ବିଜେପୁର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ସୂଚନା ରହିଛି।

୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଏଥି ସହିତ ହିଞ୍ଜିଳିକାଟୁରୁ ମଧ୍ୟ ନବୀନ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ହେଲେ ନବୀନ ତାଙ୍କ ପୂର୍ବ ହିଞ୍ଜିଳିକାଟୁ ବିଧାନସଭାକୁ ରଖି ବିଜେପୁର ବିଧାନସଭାରୁ ଇସ୍ତଫା ଦେଇଥିଲେ। ଫଳରେ ବିଜେପୁର ବିଧାନସଭା ପାଇଁ ଉପ ନିର୍ବାଚନ ହେବ। ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନ କୌଣସି ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି। ତେବେ ବିଜ୍ଞପ୍ତିକୁ ଅପେକ୍ଷା ନ କରି ତିନି ପ୍ରମୁଖ ଦଳ ଭୋଟରଙ୍କୁ ହାତେଇବା ପାଇଁ ଆରମ୍ଭ କରିଲେଣି ବିଭିନ୍ନ ପ୍ରୟାସ।

Comments are closed.