ଜାତୀୟ ସଂଗୀତ ବଦଳରେ ବିଜୁ ବନ୍ଦନା, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଅଗଷ୍ଟ ୧୫ରେ ସାରା ଦେଶ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଗତକାଲି ସକାଳେ ଭୁବନେଶ୍ବର ସ୍ଥିତ ବିଜୁ ଜନତା ଦଳ (ବିଜେଡି) ମୁଖ୍ୟାଳୟରେ ମଧ୍ୟ ଏହି ଦିବସ ପାଳିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ତାଙ୍କ ତରଫରୁ ପତାତା ଉତ୍ତୋଳନ କରିଥିଲେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା।
ତେବେ ପତାକା ଉତ୍ତୋଳନ ବେଳେ ଗୋଟିଏ ଅପ୍ରୀତିକର ପରିସ୍ଥିତି ଘଟିଥିଲା। ଖୋଦ ରାଜ୍ୟ ମୁଖିଆ ଓ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଘଟିଥିଲା ଲଜ୍ଜାଜନକ ଘଟଣା।
ଉପସ୍ଥିତ କର୍ମୀମାନେ ଜାତୀୟ ସଂଗୀତ ବୋଲିବା ପରିବର୍ତ୍ତେ ‘ବିଜୁ ବାବୁ ଅମର ରହେ’ ବୋଲି ହୁରି ଛାଡ଼ିଥିଲେ। ଆମେ ତଳେ ଦେଇଥିବା ଭିଡିଓରେ ତାହା ସ୍ପଷ୍ଟ ଶୁଣାଯାଉଛି। ତେବେ କ୍ୟାମେରା ପଛରୁ କେହି ଜଣେ କର୍ମୀ ‘ଜନଗଣ ପଢ଼ରେ ବାବା, ବନ୍ଦ କର ତାକୁ’ ବୋଲି କହୁଥିବାର ଶୁଣାଯାଉଛି। କିଛି ସମୟ ପରେ କର୍ମୀମାନେ ବିଜୁ ପଟ୍ଟନାୟକଙ୍କ ସ୍ତୁତି ଗାନ ବନ୍ଦ କରି ଜାତୀୟ ସଂଗୀତ ଗାଇଥିଲେ।
ଏ ଭିଡିଓଟି ଲୋକଲୋଚନକୁ ଆସିବା ପରେ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଏ ନେଇ ଆମେ ବିଧାୟକ ଶ୍ରୀ ଜେନାଙ୍କର ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ। ସେଭଳି କିଛି ହୋଇନାହିଁ, ପତାକା ଉତ୍ତୋଳନ ବେଳେ କେବଳ ଜନଗଣମନ ହିଁ ବୋଲାଯାଇଛି ବୋଲି ସେ କହିଥିଲେ। ଆମେ ଭିଡିଓରେ ଶୁଣାଯାଉଥିବା ସ୍ପଷ୍ଟ ସ୍ବର ବାବଦରେ ତାଙ୍କୁ ଜଣାଇବା ପରେ ବି ଶ୍ରୀ ଜେନା ଏହାକୁ ଗ୍ରହଣ କରି ନଥିଲେ ଓ ଜାତୀୟ ସଂଗୀତ ଗାନ ପରେ ହୁଏତ କେହି ବିଜୁ ବାବୁ ଅମର ରହେ ନାରା ଦେଇଥାଇ ପାରନ୍ତି ବୋଲି ସେ ସଫେଇ ଦେଇଥିଲେ।