ଅଗଷ୍ଟ ୨୫ରେ ଶରତ ସଂଧ୍ୟା: ଅତିଥି ଭାବେ ଯୋଗଦେବେ ମନ୍ତ୍ରୀ, ଲେଖକ, ପ୍ରଶାସକ

ଭୁବନେଶ୍ବର: ଚଳିତ ମାସ ୨୫ ତାରିଖରେ ଆୟୋଜିତ ହେବାକୁ ଯାଉଛି କଥା, କବିତା ଓ ସଂଗୀତର ଏକ ନିଆରା ଉତ୍ସବ ‘ଶରତ ସଂଧ୍ୟା’। ଉତ୍ସବରେ ବରିଷ୍ଠ କବି ଓ କଥାଶିଳ୍ପୀ ଶରତ କୁମାର ଦାଶଙ୍କ ଅଷ୍ଟମ କବିତା ସଂକଳନ ‘ଆରୋହଣ’, ପ୍ରଥମ ଗଳ୍ପ ସଂକଳନ ‘ଘାସଫୁଲ’ ଓ ଅଷ୍ଟମ ସଂଗୀତ ଆଲବମ୍ ‘ଆରୋହଣ’ ଉନ୍ମୋଚିତ ହେବ। ଏହି ଉତ୍ସବରେ ଯୋଗଦେବେ ମନ୍ତ୍ରୀ, ଲେଖକ ଓ ପ୍ରଶାସକ।
ଦୁଇ ମନ୍ତ୍ରୀଙ୍କ ସମେତ ୭ଜଣ ଅତିଥି ଯୋଗ ଦେବେ ଏହି ଉତ୍ସବରେ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ଯୋଗ ଦେବେ। ଏଥିସହିତ ଢେଙ୍କାନାଳ ସାଂସଦ ମହେଶ ସାହୁ, ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ପ୍ରଣବ କୁମାର ଦାସ, ସାହିତ୍ୟ ଓ ସଂସ୍କୃତିର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବରିଷ୍ଠ କବି ଓ ସମାଲୋଚକ ହୃଷିକେଶ ମଲ୍ଲିକ, କବି ଓ କଥାକାର ଶରତ କୁମାର ଦାଶ, ସଂଗୀତ ବିଜ୍ଞାନୀ ପ୍ରେମ୍ ଆନନ୍ଦ ଏବଂ ଓଡ଼ିଆ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ର ଅଧ୍ୟକ୍ଷ ତଥା କଥାକାର ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା ପ୍ରମୁଖ ଉତ୍ସବରେ ଯୋଗ ଦେବେ।
ରାଜ୍ୟର ଜଣାଶୁଣା ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ (ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ର ଏକ ଉପକ୍ରମ) ପକ୍ଷରୁ ପୁସ୍ତକ ଓ ସଂଗୀତ ଆଲବମ୍ ପ୍ରସ୍ତୁତ ହୋଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ସଂଗୀତ ବିଜ୍ଞାନୀ ପ୍ରେମ୍ ଆନନ୍ଦ। ଶ୍ରୀ ଦାଶଙ୍କର ପୂର୍ବ କବିତା ପୁସ୍ତକଗୁଡ଼ିକ ଭଳି ‘ଆରୋହଣ’ ସଂକଳନର ୧୦ଟି ନିର୍ବାଚିତ କବିତାକୁ ନେଇ ଏହି ସଂଗୀତ ଆଲବମ୍ ପ୍ରସ୍ତୁତ ହୋଇଛି। ଏଥିରେ କଣ୍ଠଦାନ କରିଛନ୍ତି ବର୍ତ୍ତମାନ ସମୟର ପ୍ରସିଦ୍ଧ ସ୍ବର ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ୍ ସାଗର, ସବିଶେଷ ମିଶ୍ର, ଦେବକୃପା ମିଶ୍ର, ଆଶୁତୋଷ ମହାନ୍ତି, ବିଷ୍ଣୁମୋହନ କବି, ଲୋପାମୁଦ୍ରା ଦାଶ, ସତ୍ୟଜିତ ପ୍ରଧାନ ଓ ଜ୍ୟୋତିର୍ମୟୀ।
ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏହି ସୁଆଦିଆ ସୃଜନ ସଂଧ୍ୟାରେ ଉପରୋକ୍ତ କଣ୍ଠଶିଳ୍ପୀମାନେ ଉପସ୍ଥିତ ରହି ସଂଗୀତ ପରିବେଷଣ କରିବେ। ଉତ୍ସବରେ ପ୍ରସିଦ୍ଧ ଲେଖକ, ରାଜନେତା ଓ ପ୍ରଶାସକ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଲେଖକ ଶ୍ରୀ ଦାଶ ସ ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ମଧ୍ୟ ମଞ୍ଚରେ ଉପସ୍ଥିତ ରହିବେ ବୋଲି ଓଡ଼ିଆ ମିଡିଆର ନିର୍ଦ୍ଦେଶକ କଥାକାର ଶୁଭ୍ରାଂଶୁ ପଣ୍ଡା ଜଣାଇଛନ୍ତି।
ନିଜର ଅସାମାନ୍ୟ ଛନ୍ଦଚାତୁରୀ ଓ ଶବ୍ଦବିନ୍ୟାସ ପାଇଁ ପରିଚିତ କବି ଶ୍ରୀ ଶରତ କୁମାର ଦାଶଙ୍କର ୭ଟି କବିତା ସଂକଳନ ଓ ୭ଟି ସଂଗୀତ ଆଲବମ୍ ପ୍ରକାଶ ପାଇ ବେଶ୍ ପାଠକୀୟ ଓ ଶ୍ରୋତାଶ୍ରଦ୍ଧା ସାଉଁଟିଛି। ୩ ଦଶନ୍ଧି ପୂର୍ବେ ଶରତ ଦାଶଙ୍କ ଯୁବାବସ୍ଥାରେ ଲିଖିତ ୧୬ଟି ଗଳ୍ପକୁ ନେଇ ତାଙ୍କର ପ୍ରଥମ ଗଳ୍ପ ସଂକଳନ ‘ଘାସଫୁଲ’ ଆତ୍ମପ୍ରକାଶ କରୁଛି। ଅଧ୍ୟାପନାରୁ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା କବି ଶ୍ରୀ ଦାଶ ୮୦ ଦଶକରେ ଭାରତୀୟ ରାଜସ୍ବ ସେବା (ଆଇଆରଏସ୍)ରେ ଯୋଗଦେଇଥିଲେ। ଆୟକର ବିଭାଗର ପ୍ରମୁଖ ଆୟୁକ୍ତ ଭାବେ ନିକଟରେ ସେ ଅବସର ଗ୍ରହଣ କରିଛନ୍ତି।