Odisha Link
Bridging the Missing Links in Odisha

ବନ୍ୟା ନେଇ କଣ କହିଲେ ଯୁଗ୍ମ ଏସଆରସି

ଭୁବନେଶ୍ୱର : ହୀରାକୁଦରୁ ଜଳ ଛଡ଼ାଯିବା ପରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ଆଶଙ୍କା ନେଇ ସମସ୍ତେ ବ୍ୟସ୍ତ ଅଛନ୍ତି। ତେବେ ଆଗକୁ ବଡ଼ ବିପଦ ନାହିଁ ବୋଲି ଯୁଗ୍ମ ଏସଆରସି ପ୍ରଭାତ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସେ କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ପରିମାଣ କମ ଅଛି। ଫଳରେ ଆଗକୁ ବଡ଼ ବିପଦ ନାହିଁ। ରାଜ୍ୟର ୧୧ଟି ଜିଲ୍ଲାରେ ଆଦୌ ବର୍ଷ ହୋଇନାହିଁ। କେନ୍ଦ୍ରାପଡ଼ା ଓ ପୁରୀର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଛି। କେନ୍ଦ୍ରାପଡ଼ାର ୨ଟି ଗ୍ରାମରୁ ୧୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ପୁରୀର ୮୮ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଅନୁଗୁଳ ଟିକରପଡ଼ାର ୩୦୦ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ସ୍ଥିତି ସୁଧୁରଥିବା ଯୁଗ୍ମ ଏସଆରସି ଶ୍ରୀ ମହାପାତ୍ର କହିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କେନ୍ଦ୍ରାପଡ଼ାର ୨ଟି ବ୍ଲକରେ ମହାନଦୀ ପାଣି ପଶିବାରୁ ଲୋକେ ଦହଗଞ୍ଜ ହେଉଛନ୍ତି। ମାର୍ଶାଘାଇ ବ୍ଲକ ଡିହବଳରାମପୁରର ୮, ୯ ଓ ୧୦ ନଂ ୱାର୍ଡରେ ମହାନଦୀ ପାଣି ପଶିଛି। ସେହିପରି ଗରଦପୁର ବ୍ଲକର ୯ନଂ ୱାର୍ଡରେ ବନ୍ୟା ଜଳ ପଶିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏହାଛଡ଼ା ବିନ୍ଧାଣିମା ଗାଁ ପାଖ ଗାଈନାଳ ଉପରେ ଆଣଣ୍ଠୁଏ ପାଣି ଚାଲୁଛି।
ଅନ୍ୟପକ୍ଷରେ ଆଠଗଡ଼ରେ ମଧ୍ୟ ସମ ଅବସ୍ଥା। ମହାନଦୀ ପାଣି ପଶିବାରୁ ଚଷାଅଁରା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ତିଗିରିଆ ଓ ବାଙ୍କୀର ୮ ପଞ୍ଚାୟତର ଶତାଧିକ ଲୋକେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି।ଅପରପକ୍ଷରେ ହୀରାକୁଦ ଡ୍ୟାମର ୧୦ଟି ଗେଟ ବନ୍ଦ କରାଯାଉଛି। ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ଗେଟ ବନ୍ଦ କରାଯାଉଛି।

Comments are closed.