Odisha Link
Bridging the Missing Links in Odisha

ଏଣିକି ବିଜୁଳି ଚୋରି ରୋକିବ ସ୍ମାର୍ଟ ମିଟର

ଭୁବନେଶ୍ୱର : ଏଣିକି ବିଦୁ୍ୟତ ଚୋରି କରୁଥିବା ଲୋକଙ୍କୁ ସାବଧାନ ହେବାକୁ ପଡ଼ିବ। ନହେଲେ ଧରାପଡ଼ିବେ। ସେମାନଙ୍କ ପାଇଁ ଏବେ ସତର୍କ ଘଣ୍ଟି। କାରଣ ବିଦୁ୍ୟତ ଚୋରି ରୋକିବାକୁ ଓଡ଼ିଶା ସରକାର ଏକ ନୂଆ ବ୍ୟବସ୍ଥା ଆପଣାଇବାକୁ ଯାଉଛନ୍ତି। ବିଦୁ୍ୟତ ଚୋରି ରୋକିବାକୁ ଏଣିକି ପ୍ରିପେଡ ଓ ସ୍ମାର୍ଟ ମିଟର ଲଗାଯିବ ବୋଲି ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ପ୍ରିପେଡ ମିଟର ପ୍ରଥମେ ସମ୍ବଲପୁରରେ ପାଇଲଟ ପ୍ରକଳ୍ପଭାବେ ଲାଗୁ ହେବ। ସମ୍ବଲପୁରରେ ପ୍ରଥମେ ୪୫୦୦ ପ୍ରିପେଡ ମିଟର ଲଗାଯିବ। ଉକ୍ତ ମିଟରରେ ଡିଜିଟାଲ କାର୍ଡ ରହିବ। ଉପଭୋକ୍ତାମାନେ ଏହାକୁ ରିଚାର୍ଜ କରିବେ। ଆଗୁଆ ପଇସା ପକାଇ ରିଚାର୍ଜ କରି ଉପଭୋକ୍ତାମାନେ ବିଦୁ୍ୟତ ବ୍ୟବହାର କରିବେ।
ସେହିପରି ରାଉକେଲାରେ ପ୍ରଥମେ ସ୍ମାର୍ଟ ମିଟର ଆରମ୍ଭ କରାଯିବ। ମିଟରକୁ ଯେମିତି ଟ୍ୟାମ୍ପର ବା ସ୍ଲୋ କରିନହେବ ସେ ନେଇ ଉକ୍ତ ମିଟରରେ ବ୍ୟବସ୍ଥା ରହିବ। କେହି କିଛି ଗଫଲତି କଲେ ସ୍ୱୟଂକ୍ରିୟଭାବେ ଜଣାପଡ଼ିବ। ଏମିତିକି ବିଲ ପେମେଣ୍ଟ ନକଲେ ବିଦୁ୍ୟତ ବିଚ୍ଛିନ୍ନ କରିଦିଆଯାଇପାରିବ। ଏହି ପାଇଲଟ ପ୍ରୋଜେକ୍ଟ ସଫଳ ହେଲେ ଅନ୍ୟ ସହରରେ ଏହାକୁ ଲାଗୁ କରାଯିବ। ତେବେ ମିଟର ପାଇଁ ଉପଭୋକ୍ତାମାନଙ୍କୁ କିଛି ପଇଠ କରିବାକୁ ପଡ଼ିବ ନାହିଁ ବୋଲି ଶକ୍ତି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

Comments are closed.