ଆରମ୍ଭ ହେଲା ଓଡ଼ିଶାର ସର୍ବପ୍ରଥମ ବୃହଦନ୍ତ୍ର ଶୋଧନ ଚିକିତ୍ସା କେନ୍ଦ୍ର

ଭୁବନେଶ୍ବର : ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ଦୀର୍ଘ ବର୍ଷ ହେବ ନିରବିଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିବା ଦେଶର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଉଦୟଭାନୁ ପକ୍ଷରୁ ଓଡ଼ିଶାର ସର୍ବପ୍ରଥମେ ବୃହଦନ୍ତ୍ର ଶୋଧନ ଚିକିତ୍ସା କେନ୍ଦ୍ରର ଉଦ୍ଘାଟନ ହୋଇ ଯାଇଛି। ଏହି ଉଦ୍ଘାଟନି ସଭାରେ ସମ୍ବାଦର ମୁଖ୍ୟ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଚିକିତ୍ସାକେନ୍ଦ୍ରକୁ ଉଦ୍ଘାଟନ କରିଥିବା ବେଳେ ସେଣ୍ଟ୍ରଲ କାଉସିଲ ଫର୍ ରିଶର୍ଚ ଇନ୍ ଆୟୁର୍ବେଦିକ୍ ସାଇନ୍ସର ଭାର ପ୍ରାପ୍ତ ନିର୍ଦ୍ଦେଶକ ଡ. ଅଶୋକ କୁମାର ପଣ୍ଡା, କେନ୍ଦ୍ରୀୟ ବିଦ୍ୟାଳୟ-୩, ଭୁବନେଶ୍ବର ପ୍ରିନ୍ସିପାଲ୍ ଡ. ପ୍ରୀତି ରୟ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ସର୍କଲ ମୁଖ୍ୟ ଶ୍ରୀଯୁକ୍ତ ଗଣପତ ଲାଲ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଆୟୁର୍ବେଦ ଚିକିତ୍ସା ପଦ୍ଧତ୍ତି ଉପରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ଅଭିଜ୍ଞତା ଥିବା ଉଦୟାଭାନୁର ଅଭିଜ୍ଞ ଡ. ଶରତ ରାଉତ ବୃ୍ହଦନ୍ତ୍ର ଶୋଧନର ଆୟୁର୍ବେଦିକ ଚିକିତ୍ସା ପଦ୍ଧତ୍ତିରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ସମ୍ବନ୍ଧରେ ସୂଚନା ପ୍ରଦାନ କରି କହିଥିଲେ କି ମନୁଷ୍ୟ ଶରୀରର ସମସ୍ତ ବର୍ଜ୍ୟବସ୍ତୁ ନିଷ୍କାସନ କରୁଥିବା ବୃହଦନ୍ତ୍ରର ଆବର୍ଜନା ହେଉଛି ପ୍ରାୟ ଅଧିକାଂଶ ଉଦର ଜନିତ ରୋଗ ବ୍ୟାଧିର ମୂଳ କାରଣ। ପ୍ରାୟ ୪୦ ରୁ ୪୫ ବର୍ଷ ପରେ ଜଣେ ମଣିଷର ବୃହଦନ୍ତ୍ରରେ ମଇଳା ଜମି ତାହା ଠିକ୍ ରେ କାର୍ଯ୍ୟ କରିବା ବନ୍ଦ କରିଥିଇଥାଏ। ଯାହା ଫଳରେ ମଣିଷ ବିଭିନ୍ନ ରୋଗର ଶିକାର ହେବା ସଙ୍ଗେସଙ୍ଗେ ଅକାଳ ବାର୍ଦ୍ଧକ୍ୟ ଜନିତ ଅସହାୟତା ଭୋଗ କରିଥାଏ।।
ଏଣୁ ଏହି ବୃହଦନ୍ତ୍ରକୁ ସଫା ରଖିବା ସମସ୍ତଙ୍କ ପାଇଁ ନିହାତି ଜରୁରୀ ଅଟେ। ସେଥି ନିମନ୍ତେ ଉଦୟଭାନୁର ଏହି କ୍ଲିନିକ୍ରେ ଆଧୁନିକ ଜ୍ଞାନନକୌଶଳରେ ନିର୍ମିତ ଏକ ମେସିନ୍ର ବ୍ୟବସ୍ଥା କରାଯାଇଛି। ଏହି ସେସିନ୍ ଦ୍ବାରା ମନୁଷ୍ୟ ଶରୀରର ବୃହଦନ୍ତ୍ରରେ ଜମିଥିବା ସମସ୍ତ ଆବର୍ଜନାକୁ ସଫା କରାଯାଇ ପାରିବ। ଅଭିଜ୍ଞ ଡାକ୍ତରଙ୍କ ଉପସ୍ଥିତି ଓ ସୁଦକ୍ଷ ଟେକ୍ନିସିଆନ୍ ମାନଙ୍କ ଦ୍ବାରା ପରିଚାଳିତ ଏହି ମେସିନ୍ ପ୍ରାୟ ୧ ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତିଙ୍କର ସମ୍ଫୂର୍ଣ୍ଣ ଚିକିତ୍ସା ହୋଇପାରିବାର ବ୍ୟବସ୍ଥା ରହିଛି। ବିଶେଷ କରି ଯେଉଁମାନେ କୋଷ୍ଠକାଠିନ୍ୟ, ଅଗ୍ନୀମାନ୍ଦ୍ୟ, ଚର୍ମ ଓ ମୁଖ ଜନିତ ରୋଗରେ ପିଡିତ ସେମାନଙ୍କ ପାଇଁ ଏହି ଆୟୁର୍ବେଦିକ ଚିକିତ୍ସା କେନ୍ଦ୍ରରେ ବୃହଦନ୍ତ୍ର ଶୋଧନ ଚିକିତ୍ସା ଏକ ବରଦାନ ସଦୃଶ୍ୟ କାର୍ଯ୍ୟ କରିବ। ପରିଣତ ବୟସରେ ଉଦର ଜନିତ ସମସ୍ୟା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ବୟସ ଜନିତ ରୋଗର ନିରାକାରଣ ଲାଗି ପାର୍ଶ୍ବ ପ୍ରତିକ୍ରିୟା ବିହୀନ ଆୟୁର୍ବେଦିକ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ଏହି ଅତ୍ୟାଧୁନିକ ମେସିନର ଉପଯୋଗ କରିବାରେ ଆମେ ସଂକଲ୍ପବୋଧ ବୋଲି ଉଦୟଭାନୁର ପ୍ରତିଷ୍ଠାତା ପ୍ରକାଶ ଆଚାର୍ଯ୍ୟ ଏହି ଅବସରରେ ସୂଚନା ଦେଇ କହିଛନ୍ତି।