Odisha Link
Bridging the Missing Links in Odisha

ମୋଦି ଆରମ୍ଭ କରିଥିଲେ, ଆମେ ଶେଷ କରିବୁ: ଫାୱାଦ୍‌ ହୁସେନ୍‌

ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ଏକଘରିଆ ହୋଇଯାଇଛି ପାକିସ୍ତାନ। ପାକିସ୍ତାନକୁ ସବୁଆଡ଼ୁ ନିରାଶ ହେବାକୁ ପଡ଼ିଛି। ପାକିସ୍ତାନର ଏକମାତ୍ର ସାହା ଭରଷା ଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡ୍ରୋନଲ୍ଡ ଟ୍ରମ୍ପଙ୍କ ବୟାନ ଶୁଣିବା ପରେ ପାକିସ୍ତାନ ହତାଶ। ଏଥିସହିତ ବିଚଳିତ ହୋଇ ପାକିସ୍ତାନ ଗୋଟିଏ ପରେ ଗୋଟିଏ ନୂଆ ଧମକ ଦେଇ ଚାଲିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପରମାଣୁ ଯୁଦ୍ଧର ଧମକ ଦେବାର ୨୪ ଘଣ୍ଟା ନପୂରୁଣୁ ପୁଣିଥରେ ପାକିସ୍ତାନ ଆଉ ଏକ ନୂଆ ଧମକ ଦେଇଛି।

ଭାରତୀୟ ବିମାନ ପାଇଁ ନିଜ ଆକାଶ ମାର୍ଗକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚେତାବନୀ ଦେଇଛି ପାକିସ୍ତାନ। ପାକିସ୍ତାନର ସ୍ଥଳଭାଗକୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବାଣିଜ୍ୟ ପଥ ଭାବେ ବ୍ୟବହାର କରାଯାଉଛି। ଏହାକୁ ମଧ୍ୟ ବନ୍ଦ କରିବା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ବିଚାର କରୁଛନ୍ତି। ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଫାୱାଦ୍‌ ହୁସେନ୍‌ ଏନେଇ ଗତକାଲି ଏକ ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି।

ଏନେଇ ପାକିସ୍ତାନ କ୍ୟାବିନେଟ୍‌ ବୈଠକରେ ପ୍ରସ୍ତାବ ରଖାଯାଇଥିବା ସେ କହିଛନ୍ତି। ଏସବୁକୁ ନେଇ ଆଇନଗତ ଔପଚାରିକ ଉପରେ ମଧ୍ୟ ବିଚାର କରାଯାଉଛି। ମୋଦି ଆରମ୍ଭ କରିଥିଲେ, ଆମେ ଶେଷ କରିବୁ ବୋଲି ଫାୱାଦ୍‌ ହୁସେନ୍‌ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ଫ୍ରାନ୍ସରେ ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହି ଆଲୋଚନା ସମୟରେ କାଶ୍ମୀର ସ୍ଥିତି ନେଇ ଟ୍ରମ୍ପ ସନ୍ତୋଷ ବ୍ୟକ୍ତ କରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ହତାଶ ହୋଇପଡ଼ିଛନ୍ତି। ପାକିସ୍ତାନର ଶେଷ ଭରସା ଆମେରିକା ରହିଥିଲେ ହେଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଛନ୍ତି। ଯାହାକୁ ନେଇ ଇମ୍ରାନ୍‌ ଖାନ୍‌ ବିଚଳିତ ହୋଇପଡ଼ିଛନ୍ତି।

Comments are closed.