Odisha Link
Bridging the Missing Links in Odisha

ମଠରେ ଥିବା କୋଠରୀ ଛାଡ଼ିବି ନାହିଁ : ମଠ ମହନ୍ତ

ପୁରୀ : କୌଣସି ହାଲତରେ ମୁଁ ମଠ ଭିତରର ବାସଗୃହ ଛାଡ଼ିବିନି। ଏଭଳି କହିଛନ୍ତି ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ। ସେ କହିଛନ୍ତି ଯେ, ପ୍ରଶାସନ ଆଲୋଚନାବେଳେ ବାସଗୃହ ଭାଙ୍ଗିବନି ବୋଲି କହିଥିଲା। ମୁଁ ରହୁଥିବା ଘର ଏବଂ ଗାଦି ଘର ଭାଙ୍ଗିବନି ବୋଲି ପ୍ରଶାସନ କହିଥିଲା। ଏବେ ବିଭିନ୍ନ ସମୟରେ ବିଭିନ୍ନ କଥା ପ୍ରଶାସନ ପକ୍ଷରୁ କୁହାଯାଉଛି। ତେବେ କୌଣସି ହାଲତରେ ମୁଁ ମଠ ଭିତରର ବାସଗୃହ ଛାଡ଼ିବିନି।
ଅନ୍ୟପକ୍ଷରେ ମହନ୍ତଙ୍କ ରହିବା ପାଇଁ ବରାଦ ମୁତାବକ ଆସିଥିବା କଣ୍ଟେନରକୁ ନେଇ ମଧ୍ୟ ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କଣ୍ଟେନରରେ ରହିବେ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି।
ସେହିପରି ପ୍ରଶାସନ ପକ୍ଷରୁ ମଠରୁ ବିଦୁ୍ୟତ କାଟି ଦିଆଯାଉଥିବା ମହନ୍ତ ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ବିଦୁ୍ୟତ କାଟିଦିଆଯାଉଥିବାରୁ ଚଳିବାକୁ ଅସୁବିଧା ହେଉଥିବା ଶ୍ରୀ ଦାସ କହିଛନ୍ତି। ମୁଁ ଅସୁସ୍ଥ ଅଛି, ମୋତେ ବିଶ୍ରାମ ଦରକାର ବୋଲି ମହନ୍ତ ରାଜଗୋପାଳ ରାମାନୁଜ ଦାସ କହିଛନ୍ତି। ପ୍ରକାଶ ଯେ, ପୁରୀ ଏମାର ମଠରେ ଉଚ୍ଛେଦ କାମ ଚାଲିଛି। ମଠ ଭିତରକୁ ଆଉ କାହାରିକୁ ପ୍ରବେଶ କରିବାକୁ ଦିଆଯାଉନାହିଁ। ପୁରା ମଠ ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ୯୦୦ ବର୍ଷର ଏହି ପୁରୁଣା ମଠର ଉଚ୍ଛେଦ କାର୍ଯ୍ୟ ଚାଲିଥିବାବେଳେ ଏଥିରେ ମଠ ମହନ୍ତ ବାଧକ ସାଜିଛନ୍ତି।
ଅନ୍ୟପକ୍ଷରେ ମହନ୍ତଙ୍କ ରହିବା ପାଇଁ ଆସିଥିଲା ବରାଦ ମୁତାବକ କଣ୍ଟେନର। ୩୫ ଫୁଟ ଲମ୍ବ ଓ ୧୦ ଫୁଟ ଚଉଡ଼ାର କଣ୍ଟେନରକୁ ଅଣାଯାଇଥିଲା। ତେବେ ମଠ ମହନ୍ତ ଉକ୍ତ କଣ୍ଟେନର ଭିତରକୁ ଯିବାକୁ ଅମଙ୍ଗ ହେଉଛନ୍ତି। ଗତକାଲି ଅର୍ଥାତ ଶୁକ୍ରବାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ କହିଥିଲେ ଯେ, ଏମାର ମଠ ଉଚ୍ଛେଦ ପୂର୍ବରୁ ପ୍ରଶାସନ ଆଲୋଚନା କରିଥିଲା। ଆଲୋଚନା ସମୟରେ ମଠର ଆଂଶିକ ଉଚ୍ଛେଦ ନେଇ ସମ୍ମତି ଦିଆଯାଇଥିଲା। ମଠର ଅବ୍ୟବହ୍ୟତ କୋଠି ଓ ବିପଦସଙ୍କୁଳ ଘରକୁ ଉଚ୍ଛେଦ ପାଇଁ ସମ୍ମିତି ଦିଆଯାଇଥିଲା। ସାଧାରଣ ଲୋକଙ୍କ କାମରେ ଆସିବାନେଇ ସମ୍ମତି ଦିଆଯାଇଥିଲା।

Comments are closed.