Odisha Link
Bridging the Missing Links in Odisha

ବଜ୍ରପାତ: ସଚେତନ କରିବା କ୍ଷେତ୍ରରେ ଓଡ଼ିଶାକୁ ସଫଳତା

ଭୁବନେଶ୍ବର: ରାଜ୍ୟରେ ପୂର୍ବଅପେକ୍ଷା ବଜ୍ରପାତରେ କମ୍‌ ସଂଖ୍ୟାରେ ଜୀବନହାନୀ ଘଟୁଛି। ବଜ୍ରପାତ ନେଇ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଯୋଗୁଁ କମ୍‌ ଜୀବନହାନୀ ଘଟୁଛି। ବଜ୍ରପାତ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି। ଗତ ୪ ମାସ ଭିତରେ ଓଡ଼ିଶାରେ ପ୍ରାୟ ୯ ଲକ୍ଷରୁ ଅଧିକ ବଜ୍ରପାତ ହୋଇଥିବାବେଳେ ଏଥିରେ ୧୨୯ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି। ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ କହିଛନ୍ତି ବଜ୍ରପାତ ସଂକ୍ରାନ୍ତରେ ଲୋକଙ୍କୁ ଏସଏମଏସ ଓ ସତର୍କ ଆପ୍ ଜରିଆରେ ଆଗୁଆ ସୂଚନା ପ୍ରଦାନ ଯୋଗୁଁ ସେମାନଙ୍କ ଜୀବନରକ୍ଷା କରାଯାଇପାରୁଛି।

ଚଳିତବର୍ଷ ଏପ୍ରିଲ ପହିଲାରୁ ଜୁଲାଇ ୩୧ ମଧ୍ୟରେ ସମଗ୍ର ଦେଶରେ ୬୪ ଲକ୍ଷ ୫୫ ହଜାର ୫୪୦ଟି ବଜ୍ରପାତ ହୋଇଥିବାବେଳେ କେବଳ ଓଡ଼ିଶାରେ ୯ ଲକ୍ଷ ୨୯୬ଟି ଘଟିଛି। ଏହି ସମୟ ଭିତରେ ଉତ୍ତରପ୍ରଦେଶରେ ସର୍ବାଧିକ ୨୪୪ଜଣଙ୍କ ପ୍ରାଣହାନୀ ଘଟିଛି। କ୍ଲାଇମେଟ ରେସିଲିଏଣ୍ଟ ସିଷ୍ଟମ ପ୍ରମୋସନ କାଉନସିଲ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ଚଳିତ ମୌସୁମୀ ଋତୁରେ ଓଡ଼ିଶା ଓ କର୍ଣ୍ଣାଟକ ବଜ୍ରପାତ ମୁକାବିଲାରେ ସବୁଠାରୁ ଆଗରେ ରହିଛନ୍ତି। ଚଳିତବର୍ଷ ରାଜ୍ୟରେ ଜୁନ୍ ୨ ତାରିଖରେ ସର୍ବାଧିକ ୨ ଲକ୍ଷ ୧୯ ହଜାର ବଜ୍ରପାତ ହୋଇଥିବାବେଳ ବଜ୍ରପାତ ପ୍ରବଣ ରାଜ୍ୟରେ ମୋଟ ୨୬ ଲକ୍ଷ ୧୪ ହଜାର ୮୪୧ଟି ବଜ୍ରପାତ ଘଟିଛି। ଏପ୍ରିଲ ୧୫ ଓ ୧୬ ତାରିଖ ଦିନ ମାତ୍ର ୨୪ ଘଣ୍ଟା ମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜୁରାଟରେ ବଜ୍ରପାତ ଘଟି ସର୍ବାଧିକ ୮୯ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.