Odisha Link
Bridging the Missing Links in Odisha

ପରଲୋକରେ ପାକିସ୍ତାନ ସ୍ପିନର ଅବଦୁଲ କାଦିର

ନୂଆଦିଲ୍ଲୀ: ପରଲୋକରେ ପାକିସ୍ତାନର ଉସ୍ତାଦ ସ୍ପିନର ଅବଦୁଲ କାଦିର। ଗତକାଲି ରାତିରେ ହୃଦଘାତ ଯୋଗୁଁ କାଦିରଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା।ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଟୁଇଟ କରି କହିଛି, ‘ଉସ୍ତାଦ’ ଅବଦୁଲ କାଦିରଙ୍କ ପରଲୋକ ଖବରରେ ପିସିବି ପୀଡ଼ା ଅନୁଭବ କରୁଛି। ବୋର୍ଡ କାଦିରଙ୍କ ପାଇଁ ଗଭୀର ଶୋକ ଜଣାଉଛି । ସେହିଭଳି ପିସିବି ପରିବାର ଲୋକଙ୍କ ପାଇଁ ସମବେଦନା ଜଣାଇଛି।

ସୂଚନାଯୋଗ୍ୟ କାଦିର ୧୯୭୭ ରୁ ୧୯୯୩ ମଧ୍ୟରେ ୬୭ଟି ଟେଷ୍ଟ ମ୍ୟାଚ ଖେଳିଥିଲେ ଏବଂ ୧୦୪ ଦିନିକିଆରେ ପାକିସ୍ତାନ ଟିମ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେହି ସମୟରେ ସେ ଜଣେ ବରିଷ୍ଠ ଓ ଅଭିଜ୍ଞତା ସଂପନ୍ନ ସ୍ପିନର ଭାବେ ଉଭା ହୋଇଥିଲେ। ୧୯୮୭ରେ ଇଂଲଣ୍ଡ ବିରୋଧରେ ଲାହୋରରେ ଖେଳାଯାଇଥିବା ୩ ଟେଷ୍ଟ ମ୍ୟାଚର ଶୃଙ୍ଖଳାରେ ସେ ୩୦ ୱିକେଟ ନେଇଥିଲେ। ଏଥିରେ ସେ ଗୋଟିଏ ପାଳିରେ ୫୬ ରନ ଦେଇ ୯ଟି ୱିକେଟ ନେଇଥିଲେ। ଏହି ମ୍ୟାଚ ଥିଲା ତାଙ୍କ ଜୀବନର ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ନିଜର ବୋଲିଂ ବାବଦରେ ଏକଦା କାଦିର କହିଥିଲେ, ବ୍ୟାଟ୍ସମ୍ୟାନଙ୍କୁ ବିଚଳିତ କରିବା ପାଇଁ ସେ ଆକ୍ରମଣାତ୍ମକ ବୋଲିଂ କରିଥାନ୍ତି। କୁହାଯାଇଥାଏ ଯେ, କାଦିର ଭିନ୍ନ ଭିନ୍ନ ଓଭରରେ ୬ ବଲକୁ ଭିନ୍ନ ଶୈଳୀରେ ପକାଇଥାନ୍ତି।

Comments are closed.