Odisha Link
Bridging the Missing Links in Odisha

ଓଡ଼ିଶା ପୋଲିସର ୩୫୩ଜଣଙ୍କ ପଦୋନ୍ନତି

ଭୁବନେଶ୍ବର: ଓଡ଼ିଶା ପୋଲିସର ୩୫୩ ଜଣ ସହକାରୀ ଉପ ଆରକ୍ଷୀ ନିରୀକ୍ଷକଙ୍କ ପଦୋନ୍ନତି ଘଟିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଶର୍ମା। ରାଜ୍ୟ ଆରକ୍ଷୀ ମହାର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଓଡ଼ିଶା ପୋଲିସରେ କାର୍ଯ୍ୟରତ ୩୫୩ ଜଣ ସହକାରୀ ଉପ ଆରକ୍ଷୀ ନିରୀକ୍ଷକଙ୍କୁ ଉପ ଆରକ୍ଷୀ ନିରୀକ୍ଷକ ପଦବିକୁ ପଦୋନ୍ନତି ପ୍ରଦାନ କରାଯାଇଛି। ଓଡ଼ିଶା ପୋଲିସର କେନ୍ଦ୍ରୀୟ ମନୋନୟନ ବୋର୍ଡ ଏହି ପଦୋନ୍ନତିକୁ ସ୍ବୀକୃତି ପ୍ରଦାନ ପରେ ଏ ବାବଦରେ ଏକ କାର୍ଯ୍ୟାଳୟ ଆଦେଶନାମା ଆଜି ପ୍ରକାଶ ପାଇଛି। ଏହି ଅଧିକାରୀଙ୍କ ମଧ୍ୟରେ ୨୭୩ ଜଣ ସାଧାରଣ ବର୍ଗର ଥିବା ବେଳେ ୬୭ ଜଣ ଅନୁସୂଚିତ ଜାତି ବର୍ଗର ଓ ୧୩ ଜଣ ଅନୁସୂଚିତ ଜନଜାତି ବର୍ଗର ଅଛନ୍ତି। ଏମାନେ ଅନୁଗୁଳଠାରେ ଥିବା ପୋଲିସ ପ୍ରଶିକ୍ଷଣ କେନ୍ଦ୍ର ଠାରେ ୬ମାସ ପର୍ଯ୍ୟନ୍ତ ତାଲିମ ଗ୍ରହଣ କରିବେ। ପୋଲିସ ପ୍ରଶିକ୍ଷଣ କେନ୍ଦ୍ରରେ ତାଲିମ ପାଇଁ ଯୋଗଦାନ ଦିନଠାରୁ ସେମାନଙ୍କ ପଦୋନ୍ନତିକୁ ଗଣନା କରାଯିବ। ସେମାନଙ୍କୁ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ପି.ଟି.ସି ଅନୁଗୁଳ ଠାରେ ପ୍ରିଶିକ୍ଷଣ ପାଇଁ ହାଜର ହେବାପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି।
ସେହିପରି ବିଭାଗୀୟ ପଦୋନ୍ନତି କମିଟିର ଅନୁମୋଦନ କ୍ରମେ ଓଡ଼ିଶା ପୋଲିସର ଜିଲ୍ଲା କ୍ୟାଡରେ କାର୍ଯ୍ୟରତ ୧୩ଜଣ ବରିଷ୍ଟ ସହାୟକ ଓ କନିଷ୍ଟ ହିସାବ ରକ୍ଷକଙ୍କୁ ହେଡ୍‌ କ୍ଲର୍କ ପଦବିକୁ ପଦୋନ୍ନତି ପ୍ରଦାନ କରାଯାଇଛି।

Comments are closed.