Odisha Link
Bridging the Missing Links in Odisha

ଭୁଶୁଡ଼ୁଛି ଉତ୍କଳ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି, ଆଜିଠୁ ବନ୍ଦ ଡାକରା

ଭୁବନେଶ୍ବର: ଭୁଶୁଡ଼ୁଛି ବାଣୀବିହାର ଭିତ୍ତିଭୂମି। ଭିତ୍ତିଭୂମିର ବିକାଶ ସହ ୧୦ ଦଫା ଦାବି ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇବେ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ। ଏନେଇ ୟୁ ୟୁ ଷ୍ଟୁଡେଣ୍ଟ ଫୋରମ୍‌ ସଙ୍ଗଠନ ଡାକରା ଦେଇଛି। ରାଜନୀତିରୁ ଉର୍ଦ୍ଧ୍ବରେ ରହି  ବାଣୀବିହାର ଉନ୍ନତି ନିମନ୍ତେ ବିଭିନ୍ନ ଛାତ୍ର ସଙ୍ଗଠନର ଛାତ୍ରମାନେ ଏକଜୁଟ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏ ଆନ୍ଦୋଳନରେ ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେବେ ବୋଲି ଫୋରମ୍‌ ପକ୍ଷରୁ କୁହାଯାଉଛି।

ଭୁଶୁଡ଼ିବାରେ ଲାଗିଛି ଉତ୍କଳ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି। ୨୦ କୋଟିରୁ ଅଧିକ ଟଙ୍କାର ୫ଟି କୋଠା ଏବେ ଭୂତକୋଠି ପାଲଟିଥିବା ବେଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ କ୍ୟାମ୍ପସରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ ଅଚଳ। ସିସିଟିଭି ବି କାମ କରୁନି। ଆଗରୁ ଯାହା ଯେମିତି ପାଚେରି ଭାଙ୍ଗିଥିଲା, ବାତ୍ୟା ‘ଫନି’ ପରେ ସମ୍ପୂର୍ଣ୍ଣ କ୍ୟାମ୍ପସ ମୁକୁଳା। ଇତି ମଧ୍ୟରେ ବାତ୍ୟାକୁ ସାଢ଼େ ୪ ମାସ ବିତି ଯାଇଥିଲେ ମଧ୍ୟ ମରାମତି ଦିଗରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କାଣିଚାଏ ବି ପଦକ୍ଷେପ ନେଇନାହାନ୍ତି। ହଷ୍ଟେଲଗୁଡ଼ିକ ଅବସ୍ଥା ବି ନ କହିବା ଭଲ। ଯେଉଁଥିପାଇଁ ନାକ୍‌ ‘ଏ+’ ଗ୍ରେଡ୍‌ ହାସଲ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟ ମାନ୍ୟତା ନେଇ ଆଶଙ୍କା ସୃଷ୍ଟି ହୋଇଛି। ୨୦୨୧ରେ ପୁଣିଥରେ ନାକ୍‌ ଟିମ୍‌ ଆସିବ। ଏବେ ବିଶ୍ବବିଦ୍ୟାଳୟ ଯେଉଁ ସ୍ଥିତି ଦେଇ ଗତି କରୁଛି, ସେତେବେ‌ଳକୁ ‌ନାକ୍‌ ‘ଏ’ ଗ୍ରେଡ୍‌ ମିଳିବା କଷ୍ଟକର ହୋଇପଡ଼ିବ ବୋଲି ପ୍ରଫେସରମାନେ କହିଛନ୍ତି।

୨୦୧୫ରେ ବାଣୀବିହାର ସ୍ଥିତି:
ନାକ୍‌ ଟିମ୍‌ ଆସିବା ପୂର୍ବରୁ ୨୦୧୫ରେ ବିଶ୍ବବିଦ୍ୟାଳୟକୁ ନୂଆ ରୂପ ଦିଆଯାଇଥିଲା। ପ୍ରବେଶ ପଥରୁ ଆରମ୍ଭ କରି ପ୍ରସ୍ଥାନ ଯାଏ ସବୁଠି ଝଟକୁଥିଲା। ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ରାସ୍ତାରେ ଏଲ୍‌ଇଡି ଲାଇଟ୍‌ ଲଗାଗଲା, ପ୍ରବେଶ ପଥରୁ ହଷ୍ଟେଲ ପର୍ଯ୍ୟନ୍ତ ସିସିଟିଭି ଲାଗିଲା, ସବୁ ବିଭାଗ‌ରେ ଗବେଷଣାଗାର ଖୋଲିଲା। ଦିନରାତି ଏକ କରି ପ୍ରଫେସର, କର୍ମଚାରୀ, ଛାତ୍ରଛାତ୍ରୀ ନାକ୍‌ ମାନ୍ୟତା ହାସଲ କରିବାକୁ ଲାଗି ପଡ଼ିଲେ। ଫଳସ୍ବରୂପ ୨୦୧୬ ଡିସେମ୍ବରରେ ନାକ୍‌ ‘ଏ+’ ଗ୍ରେଡ୍‌ ମିଳିଲା।


‘ଏ+’ ମାନ୍ୟତା ମିଳିବା ପରେ କିଏ ପଚାରେ:
ମାନ୍ୟତା ମିଳିବାର ଗୋଟିଏ ବର୍ଷ ବିତିଛି କି ନାହିଁ, ସବୁ କିଛି ଧୀରେଧୀରେ ନଷ୍ଟ ହୋଇଗଲା। କୁଳପତି ବଦଳିବା ସହ ବଦଳିଗଲା ଉତ୍କଳ ବିଶ୍ବବିଦ୍ୟାଳୟର ଚିତ୍ର। ୨୦୧୫-୧୬ରେ ଆରମ୍ଭ ହୋଇଥିବା ୫ଟି ବିଲଡିଂ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି। ୨୦୧୫ରେ କ୍ୟାମ୍ପସ ସାରା ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକ ମଧ୍ୟରୁ ୮୦ ପ୍ରତିଶତ ଏବେ ଅଚଳ। କେଉଁଠି ଲାଇଟ୍‌ ଖୁଣ୍ଟରେ ଝୁଲି ରହିଛି ତ ଆଉ କେଉଁଠି ଖୁଣ୍ଟ ଶୋଇ ପଡ଼ିଲାଣି। କେତେକ ସ୍ଥାନରେ ଖୁଣ୍ଟ ଛିଡ଼ା ହୋଇଥିଲେ ମଧ୍ୟ ଲାଇଟ୍‌ ଚୋରି ହୋଇଗଲାଣି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ହଜାରରୁ ଅଧିକ ଛାତ୍ରୀ ରହୁଥିବା ଓ ଚଳପ୍ରଚଳ କରୁଥିବା ରାସ୍ତାର ଲାଇଟ୍‌ ବାତ୍ୟା ପରଠାରୁ ନଷ୍ଟ ହୋଇଛି ଯେ ମରାମତି ହେଉନି। ପ୍ରବେଶ ପଥରେ ବି ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକ ଖରାପ ହୋଇପଡ଼ିଛି। କାହିଁ କେବେଠାରୁ ବିଶ୍ବବିଦ୍ୟାଳୟ ପାଚେରି ମୁକୁଳା ପଡ଼ିଛି। ବସ୍ତିବାସିନ୍ଦା ଧୀରେଧୀରେ କ୍ୟାମ୍ପସକୁ ପଶି ଆସିଥିଲେ ମଧ୍ୟ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସେମାନଙ୍କୁ ବାହାର କରିପାରୁ ନାହାନ୍ତି। ସେପଟେ ବାତ୍ୟା ପରଠାରୁ ଭାଙ୍ଗି ପଡ଼ିଥିବା ପାଚେରି ମରାମତି ହେଉନି। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ସମ୍ମୁଖ‌ ଓ ପ୍ରବେଶ ପଥ ନିକଟରେ ୩୦ ଫୁଟ୍‌ର ପାଚେରି ଭାଙ୍ଗି ପଡ଼ିଥିଲେ ମଧ୍ୟ ମରାମତି ହେଉନାହିଁ।

ଉତ୍ତର ଦେବ କିଏ?
ଏସବୁ ଅସୁବିଧାକୁ ନେଇ ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଥିଲେ ମଧ୍ୟ ଆଶାନୁରୁପ ଫଳାଫଳ ମିଳୁନାହିଁ । ଏପରିକି ଆଜି ଖୋଲିବ, କାଲି ଖୋଲିବ କହି କର୍ତୃପକ୍ଷ ଦିନ ଗଡ଼ାଇ ଚାଲିଛନ୍ତି। କେବେ କାର୍ଯ୍ୟକ୍ଷମ ହେବ ସେନେଇ କୁଳପତି କିମ୍ବା କୁଳସଚିବଙ୍କ ପାଖରେ ଉତ୍ତର ନାହିଁ। କେବେ ସୁଦ୍ଧା ମରାମତି ହେବ, ସେନେଇ କାହା ପାଖରେ ଉତ୍ତର ନାହିଁ। କୁଳପତି ପ୍ରଫେସର ସୌ‌ମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଯୋଗାଯୋଗ କଲେ ମଧ୍ୟ କୌଣସି ଉତ୍ତର ଦେଉନାହାନ୍ତି। ଏପରିକି ବର୍ତ୍ତମାନର କୁଳପତି ସୌ‌ମେନ୍ଦ୍ର ମୋହନ ପଟ୍ଟନାୟକ ୨ବର୍ଷରୁ ଅଧିକ ସମୟ ହେବ କୁଳପତି ଭାବେ ଅଛନ୍ତି। ହେଲେ ଉତ୍କଳ ବିଶ୍ବବିଦ୍ୟାଳୟର ଉନ୍ନତି ଆଖିଦୃଶିଆ ଏବଂ କୁଳପତିଙ୍କ ଅପରାଗକତା ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ଛାତ୍ରଛାତ୍ରୀ ମାନେ କହୁଛନ୍ତି।
ଷ୍ଟୁଡେଣ୍ଟ ଫୋରମର ଦାବି:
ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସ୍ଥାନାନ୍ତର, ପରୀକ୍ଷା ସରିବାର ୪୫ଦିନ ଭିତରେ ଫଳ ପ୍ରକାଶ, ହଷ୍ଟେଲ, ମାଇଗ୍ରେସନ, ପ୍ରବେଶିକା ପରୀକ୍ଷା ଫି’ ଦୁଇ ଗୁଣ ବୃଦ୍ଧି ପ୍ରତ୍ୟାହାର, ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ୨୪ ଘଣ୍ଟିଆ ଜାତୀୟ ପତାକା ଉଡ଼ାଇବା, ବସ୍ତି ଉଚ୍ଛେଦ, ନୂତନ ଭାବେ ନିର୍ମାଣ ହୋଇଥିବା କୋଠାଗୁଡ଼ିକ କାର୍ଯ୍ୟକ୍ଷମ କରିବା, ଛାତ୍ରାବାସ କାନ୍ଥ ମରାମତି, ସ୍ଥାୟୀ ଅଧ୍ୟାପକ ପଦ ପୂରଣ, ଅଚଳ ଆମ୍ବୁଲାନ୍ସକୁ ସଚଳ କରିବା ଦାବିରେ ଏହି ଆନ୍ଦୋଳନ କରାଯିବ। ଯେଉଁ ଛାତ୍ରଛାତ୍ରୀଙ୍କ ପିଏଚ୍.ଡି କୋର୍ସ ଓ୍ବାର୍କ କରି ସାରିଛନ୍ତି। କିନ୍ତୁ କୌଣସି କାରଣ ବଶତଃ ରେଜିଷ୍ଟ୍ରଶନ୍‌ ହୋଇପାରିନାହିଁ। ତା‌ଙ୍କର ରେଜିଷ୍ଟ୍ରଶନର ସୁଯୋଗ ଦିଆଯାଉ। ପୁଣଥରେ ତାଙ୍କର କୋର୍ସ ଓ୍ବାର୍କ ନହେଉ ବୋଲି ଛାତ୍ରଛାତ୍ର ମାନେ ଦାବି କରିଛନ୍ତି।

Comments are closed.