Odisha Link
Bridging the Missing Links in Odisha

କଶ୍ମୀରକୁ ନୂଆ ସ୍ବର୍ଗରେ ପରିଣତ କରିବା ପାଇଁ ଆହ୍ବାନ ଦେଲେ ମୋଦି

ନାସିକ୍‌: ଆଗକୁ ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଏସବୁକୁ ଦୃଷ୍ଟିରେ ରଖି ବିଜେପି ଆରମ୍ଭ କରିଛି ଅଙ୍କକଷା। କାରଣ ଯେକୌଣସି ମୁହୂର୍ତ୍ତରେ ମହାରାଷ୍ଟ୍ର ବିଧାନସଭା ପାଇଁ ନିର୍ବାଚନ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ। ଏହା ପୂର୍ବରୁ ମହାରାଷ୍ଟ୍ର ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛି ବିଜେପି। ଆଜି ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ସେ ନିଜ ସରକାରର ସଫଳତା ବଖାଣିବାକୁ ଯାଇ କଶ୍ମୀର କିଭଳି ନୂଆ ସ୍ୱର୍ଗରେ ପରିଣତ କରିବାକୁ ସଂକଳ୍ପବଦ୍ଧ ତାହା ବର୍ଣ୍ଣନା କରିଛନ୍ତି। ସେ ଏହି ଅବସରରେ ପ୍ରତ୍ୟେକ କଶ୍ମୀରଙ୍କୁ ଆଲିଙ୍ଗନ କରିବା ସହ ଏହାକୁ ନୂଆ ସ୍ୱର୍ଗରେ ପରିଣତ କରିବା ପାଇଁ ଆହ୍ୱାନ କରିଛନ୍ତି।

ମୋଦି ଆଜି ସଭାରେ କହିଛନ୍ତି ଯେ, ଧାରା ୩୭୦ ହଟାଇବାର ନିଷ୍ପତ୍ତି ଭାରତର ଏକତା ପାଇଁ ନିଆଯାଇଥିବା ଏକ ନିଷ୍ପତ୍ତି। ଏହା ଜମ୍ମୁ-କଶ୍ମୀର ଲୋକଙ୍କର ଆଶା ଓ ସ୍ୱପ୍ନକୁ ପୂରଣ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ସୀମା ସେପଟୁ କଶ୍ମୀର ଉପତ୍ୟକାରେ ଅଶାନ୍ତି ସୃଷ୍ଟି କରିବା, ଭୁଲ ତଥ୍ୟର ପ୍ରଚାର ପାଇଁ ଏବଂ ହିଂସା ସୃଷ୍ଟିର ଅପପ୍ରୟାସ ଚାଲିଛି। ମୋଦି ଆହୁରି କହିଛନ୍ତି ଜମ୍ମୁ-କଶ୍ମୀରରେ ଯୁବକ, ମା ଏବଂ ଭଉଣୀମାନେ ସ୍ଥିର କରିସାରିଛନ୍ତି, ସେମାନେ ବହୁଦିନର ହିଂସାରୁ ବାହାରି ଆସିବେ। ସେମାନେ ବିକାଶ ଏବଂ ନୂଆ ନିଯୁକ୍ତି ସୁଯୋଗ ଚାହାନ୍ତି।

ଏଥିସହିତ ମୋଦି କହିଛନ୍ତି ଯେ, ଆମେ ପ୍ରତିଶ୍ରୁତି ଦେଇଥିଲୁ ଆମେ ଜମ୍ମୁ-କଶ୍ମୀର ଏବଂ ଲଦାଖର ବିଭିନ୍ନ ସମସ୍ୟା ଦୂର କରିବୁ। ଆଜି ମୁଁ ଗର୍ବର ସହିତ କହୁଛି ଦେଶ ବର୍ତ୍ତମାନ ସେହି ସବୁ ସ୍ୱପ୍ନ ପୂରଣ ଦିଗରେ ଆଗେଇ ଚାଲିଛି। ସେ କହିଥିଲେ, ଜମ୍ମୁ-କଶ୍ମୀରରେ ସମ୍ପୂର୍ଣ୍ଣ ଭାବେ ସମ୍ବିଧାନ ଲାଗୁ କରିବା କେବଳ ସରକାରଙ୍କର ନୁହେଁ ଦେଶର ୧୩୦ କୋଟି ଜନସାଧାରଣଙ୍କର ନିଷ୍ପତ୍ତି ଥିଲା।

Comments are closed.