Odisha Link
Bridging the Missing Links in Odisha

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ:ଅକ୍ଟୋବର ୨ର କାର୍ଯ୍ୟକ୍ରମ ଚୂଡ଼ାନ୍ତ

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ ପାଳନ ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧୀଜୟନ୍ତୀ ଦିନ ସମଗ୍ର ରାଜ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କାର୍ଯ୍ୟକ୍ରମ ରୂପାୟନ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରୂପାୟନ କମିଟି ବୈଠକରେ ଉପରୋକ୍ତ ମର୍ମରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି ।
ଗାନ୍ଧୀଜୟନ୍ତୀ ଦିନ ସକାଳେ ବିଧାନସଭା ପରିସରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ତା’ପୂର୍ବରୁ ଛାତ୍ରଛାତ୍ରୀ ତଥା ସଚେତନ ନାଗରିକମାନଙ୍କୁ ନେଇ ଏକ ମାନବଶୃଙ୍ଖଳ ଓ ରାଲି ଆୟୋଜନ କରାଯିବ । ସେଦିନ ପୂର୍ବାହ୍ନରେ ଗୀତଗୋବିନ୍ଦ ସଦନରେ ଓଡ଼ିଶା ଲଳିତ କଳା ଏକାଡ଼େମୀ ଆନୁକୂଲ୍ୟରେ ଶିଳ୍ପୀ ଶିବିର ଆୟୋଜିତ ହେବ । ସେହି ସମୟରେ ଜୟଦେବ ଭବନରେ ‘ଗାନ୍ଧୀକଥା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ଏଥିରେ ଗାନ୍ଧୀବାଦୀ ବିଦ୍ୱାନମାନେ ଯୋଗଦେବେ । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ ମହାତ୍ମା ଗାନ୍ଧୀଙ୍କ ସଂପର୍କିତ ପୁସ୍ତକଗୁଡ଼ିକ ମଧ୍ୟ ସେଠାରେ ଲୋକାର୍ପିତ ହେବ ।ସାହିତ୍ୟ ଏକାଡେମୀ ଓ ଊର୍ଦ୍ଦୁ ଏକାଡେମୀର ମିଳିତ ଆନୁକୂଲ୍ୟରେ ଗୀତଗୋବିନ୍ଦ ଭବନରେ ଗାନ୍ଧୀ ଏବଂ ସ୍ୱାଧୀନତା ସଂଗ୍ରାମ ସଂପର୍କିତ କବିତା ପାଠୋତ୍ସବ ମୁଶାୟରା ମଧ୍ୟ ଅନୁଷ୍ଠିତ ହେବ ।

ସନ୍ଧ୍ୟାରେ ଜୟଦେବ ଭବନରେ ଗାନ୍ଧୀଭଜନ ପରିବେଷଣ କରାଯିବ ।ଏହି ଅବସରରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ, ଜୟଦେବ ଭବନ, ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଅଭିଲେଖାଗାର, ସଂସ୍କୃତି ଭବନ, ଭଂଜକଳା ମଣ୍ଡପ ସମେତ କଟକର ସ୍ୱରାଜ୍ୟ ଆଶ୍ରମ ଓ ନୌବାଣିଜ୍ୟ ସଂଗ୍ରହାଳୟରେ ଗାନ୍ଧିଜୀଙ୍କ ତୈଳଚିତ୍ର ସ୍ଥାପନ କରାଯିବ । ରାଜ୍ୟ ଓ ଜିଲ୍ଲାସ୍ତରରେ ୧୫୦ ଗୋଟି ସ୍ଥାନରେ ଗାନ୍ଧୀଜୟନ୍ତୀ ଦିନ ବୃକ୍ଷରୋପଣ ସମେତ ଜିଲ୍ଲାଗୁଡ଼ିକରେ କେତେକ ମାର୍ଗକୁ ଗାନ୍ଧୀଙ୍କ ସ୍ମୃତିରେ ନାମିତ କରାଯିବ । ସେହିଦିନ ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ ମଧ୍ୟ ଗାନ୍ଧୀଜୟନ୍ତୀ ଉପଲକ୍ଷେ ବିବିଧ କାର୍ଯ୍ୟକ୍ରମ ଆୟୋଜନ କରିବେ ବୋଲି ମନ୍ତ୍ରୀ ପାଣିଗ୍ରାହୀ ଉଲ୍ଲେଖ କରିଥିଲେ ।

ଜାତିର ଜନକଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ ସହିତ ସଂପୃକ୍ତ ସ୍ଥାନକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବରେ ସମୃଦ୍ଧ କରାଯିବାର ଉଦ୍ୟମ ହେଉଛି । ଏହା ବ୍ୟତୀତ ବିଭିନ୍ନ ବିଭାଗ ଆନୁକୂଲ୍ୟରେ ୧୫୦ତମ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମମାନ ସଂପନ୍ନ ହେବ ।କାର୍ଯ୍ୟକ୍ରମ ରୂପାୟନ କମିଟିର ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ରାମଚନ୍ଦ୍ର ପଣ୍ଡା, ଗାନ୍ଧୀଦର୍ଶନ ପ୍ରବକ୍ତା ପ୍ରହଲ୍ଲାଦ ସିଂହ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ଲିପ୍‌ସା ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ଶାସନ ସଚିବ ଶୁଭଶ୍ରୀ ନନ୍ଦ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଇତିପୂର୍ବରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ନିମନ୍ତେ ଗଠିତ ପ୍ରକାଶନ ଉପସମିତି ବୈଠକ ତା’ର ଅଧ୍ୟକ୍ଷ ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା ।ଜଷ୍ଟିସ୍‌ ମନୋରଞ୍ଜନ ମହାନ୍ତି, ଡା. ବିଶ୍ୱଜିତ, ଅଧ୍ୟାପକ ଅଭିରାମ ବିଶ୍ୱାଳ ପ୍ରମୁଖ ଉପସମିତି ସଦସ୍ୟବୃନ୍ଦ ଆଲୋଚନାରେ ଭାଗ ନେଇଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗାନ୍ଧିଜୀଙ୍କ ଉପରେ ଲିଖିତ ତିନୋଟି ପ୍ରସିଦ୍ଧ ପୁସ୍ତକର ଓଡ଼ିଆ ଅନୁବାଦ ପ୍ରସ୍ତୁତ ହୋଇ ପ୍ରକାଶ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

Comments are closed.