Odisha Link
Bridging the Missing Links in Odisha

ମୋ ଉତ୍ତରାଧିକାରୀ ଜନତା ବାଛିବେ: ନବୀନ

ଭୁବନେଶ୍ବର: ମୋ ଉତ୍ତରାଧିକାରୀ କିଏ ହେବ ତାହା ଜନତା ନିଷ୍ପତ୍ତି କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବ ତାହାକୁ ନେଇ ରାଜ୍ୟ ରାଜନୀତୀରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଏହି ପ୍ରଶ୍ନ ଉପରେ ଉତ୍ତର ରଖିଛନ୍ତି ନିଜେ ଶ୍ରୀ ପଟ୍ଟନାୟକ। ତାଙ୍କ ଉତ୍ତରାଧିକାରୀ କିଏ ହେବ ତାହା ଲୋକ ନିର୍ଦ୍ଧାରଣ କରିବେ ବୋଲି ସେ କହିଛନ୍ତି।

ଦି ନିୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍ ଇଂରାଜୀ ଖବରକାଗଜର ପକ୍ଷରୁ ଆୟୋଜିତ ଲିଟେରାରୀ ଫେଷ୍ଟିଭାଲ୍ ଯୋଗଦେବା ପରେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ସହିତ ୱାନ୍ ଟୁ ୱାନ୍ କାର୍ଯ୍ୟକ୍ରମରେ ନବୀନ ଏହି ବିଷୟ ପ୍ରକାଶ କରିଛନ୍ତି। ଏହାସହ ନିଜ ଫିଟ୍‌ନେସ୍ ରାଜ୍ ମଧ୍ୟ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ସେ କହିଛନ୍ତି ଯେ, ସେ ସ୍ୱଳ୍ପ ଆହାର ସହ ଦିନକୁ ୨ ଥର ବ୍ୟାୟାମ କରନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନିର୍ବାଚନ ପରବର୍ତ୍ତି ସମ୍ପର୍କକୁ ନେଇ ପ୍ରଶ୍ନ ଉପରେ ମଧ୍ୟ ଉତ୍ତର ରଖିଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ଉଭୟ ସେ ଓ ମୋଦି ଗଠନମୂଳକ କାର୍ଯ୍ୟର ସମର୍ଥକ । ଜମ୍ମୁ-କଶ୍ମୀରରୁ ଧାରା-୩୭୦ ଉଚ୍ଛେଦକୁ ସମର୍ଥନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲିଟେରାରୀ ଫେଷ୍ଟିଭାଲ୍ ଅବସରରେ ନିଜ ଅଭିଭାଷଣରେ ଶ୍ରୀ ପଟ୍ଟନାୟକ ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଠ ବ୍ୟକ୍ତିଙ୍କ ନାମ ପ୍ରକାଶ କରି ପ୍ରଶଂସା କରିବା ସହ ସାମାଜିକ ବିକାଶ ପାଇଁ ସାହିତ୍ୟ ଅପରିହାର୍ଯ୍ୟ ବୋଲି କହିଛନ୍ତି।

ସଚିବାଳୟର ନାଁ ଲୋକସେବା ଭବନ ନାମରେ ନାମିତ କରି ଆମେ ଜନକେନ୍ଦ୍ରିକ ସରକାର ବୋଲି ପ୍ରମାଣ ଦେଇଛୁ। ନିଜ ସରକାରର ଅତୀତ କାର୍ଯ୍ୟକାଳରେ ରାଜ୍ୟବାସୀଙ୍କ ଜୀବନଧାରଣ ମାନଦଣ୍ଡରେ ସୁଧାର ପାଇଁ କେତେକ ସଫଳତା ମିଳିଛି। ଆସନ୍ତା ୫ବର୍ଷ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ତାଙ୍କ ସରକାର ଅଧିକ କିଛି କରିିବାକୁ ଲକ୍ଷ୍ୟ ରଖାଯାଇଛି ।

ଏବେ ଓଡ଼ିଶାରେ ଟ୍ରାନ୍ସଫରମେସନ୍ ପାଇଁ ‘ଫାଇଭ-ଟି’ ଓ ‘ମୋ ସରକାର’ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏସବୁ ବ୍ୟତୀତ ଶ୍ରୀ ପଟ୍ଟନାୟକ କ୍ରୀଡ଼ା ଓ ଯୁବବର୍ଗଙ୍କ ଭବିଷ୍ୟତ ଉପରେ ମତ ରଖିବା ସହ ଫକୀରମୋହନ ସେନାପତିଙ୍କୁ ନିଜର ପ୍ରିୟ ଲେଖକ ବୋଲି କହିଥିଲେ। ଏହି ଅବସରରେ ନବୀନଙ୍କୁ ଓଡ଼ିଶାର ବିରାଟ କୋହଲୀ ଭାବେ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲା ସମ୍ବୋଧନ କରିବାକୁ ପଛାଇ ନଥିଲେ।

Comments are closed.