Odisha Link
Bridging the Missing Links in Odisha

କନ୍ଦଉଛି ପିଆଜ

ନୂଆଦିଲ୍ଲୀ: ଦେଶରେ ଏବେ ପିଆଜର ମହଙ୍ଗା ମାଡ଼। ଯାହାଫଳରେ ପୁଣି କନ୍ଦେଇଛି ପିଆଜ। ଦେଶରେ ଏବେ ପିଆଜ ଦର କିଲୋ ପିଛା ୭୦ ଟଙ୍କା ଛୁଇଁଥିବା ପ୍ରକାଶ ପାଇଛି। ଦିଲ୍ଲୀ ଏନସିଆର ବଜାରରେ ପିଆଜ ଦର ୬୦ରୁ ୭୦ ଟଙ୍କା କିଲୋ ପ୍ରତି ରହିଥିବା ବେଳେ ମଣ୍ଡିରେ ହୋଲସେଲ ଦର ୩୫-୪୫ ଟଙ୍କା ରହିଛି। ଯଦି ବିଗତ ବର୍ଷର ଦରଦାମ ଉପରେ ନଜର ପକାଇବା ତାହେଲେ ୨୦୧୫ ପରେ ପ୍ରଥମ ଥର ପାଇଁ ପିଆଜର ଦାମ୍ ୫୦ ପାରେଇଛି।

ଏସିଆ ମହାଦେଶର ସବୁଠୁ ବଡ଼ ପିଆଜ ମଣ୍ଡି ମହାରାଷ୍ଟ୍ରର ଲସଲଗାଁଓରେ ପିଆଜ କିଲୋ ପ୍ରତି ୫୦ ଟଙ୍କା ଲେଖାଏଁ ବିକ୍ରି ହେଉଥିବା ଜଣାପଡ଼ିଛି। ବ୍ୟବସାୟୀ କହିଛନ୍ତି ମଣ୍ଡିର ପିଆଜ୍ କମ୍ ମହଜୁଦ ରହିଥିବାରୁ ଦର ଏବେ ହୁ ହୁ ହୋଇ ବଢ଼ି ଚାଲିଛି। ସେହିପରି ପିଆଜ ବିକ୍ରି ତୁଳନାରେ ଆମଦାନୀ କମ୍ ରହିଛି। ଦିଲ୍ଲୀର ଆଜାଦପୁର ମଣ୍ଡିର ପିଆଜ ସଂଘର ସଭାପତି ରାଜେନ୍ଦ୍ର ଶର୍ମା କହିଛନ୍ତି ଦକ୍ଷିଣ ଭାରତରେ ଚଳିତ ମୌସୁମୀରେ ପ୍ରବଳ ବର୍ଷା ହୋଇଛି। ଏଥିପାଇଁ ପିଆଜ ଚାଷ ନଷ୍ଟ ହୋଇଯାଇଥିବାବେଳେ ବର୍ଷା ପାଇଁ ନୂଆ ପିଆଜ ବଜାରକୁ ଆସିପାରି ନାହିଁ।

ଦରଦାମ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସପ୍ତାହକ ଭିତରେ ଅନେକ ପଦକ୍ଷେପ ନେଇଛନ୍ତି ହେଲେ ଏହା ନିୟନ୍ତ୍ରଣ ହୋଇ ପାରି ନାହିଁ। ଏମିତିକି ମଣ୍ଡି ଗୁଡ଼ିକରେ ପିଆଜ ମହଜୁଦ୍ ବାବଦରେ ସରକାର ସୀମା ନିର୍ଦ୍ଧାରଣ କରିବା ପାଇଁ ଆଗାମୀ ଦିନରେ ଚିନ୍ତା କରୁଥିବା ଜଣାପଡ଼ିଛି। ଉପଭୋକ୍ତା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ସପ୍ତାହରେ ଦିଲ୍ଲୀରେ ପିଆଜ ଦର ୫୭ ଟଙ୍କା ରହିଥିଲା। ମୁମ୍ୱାଇରେ ୫୬, କୋଲକାତାରେ ୪୮ ଏବଂ ଚେନ୍ନାଇରେ ୩୪ ଟଙ୍କା କିଲୋ ପିଛା ଦର ଥିଲା। ଗୁରୁଗ୍ରାମ ଏବଂ ଜମ୍ମୁରେ ପିଆଜ ଦର ୬୦ ଟଙ୍କା ଥିଲା।

ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ପିଆଜ ଚାଷରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ପୂର୍ବ ରାଜସ୍ଥାନ ଏବଂ ପଶ୍ଚିମ ମଧ୍ୟ ପ୍ରଦେଶରେ ଗତ ଦୁଇ ଦିନ ହେଲା ଲଗାଣ ବର୍ଷା ହେଉଛି। ଏବେ ଯେଉଁ ପିଆଜ ବିକ୍ରି ହେଉଛି ତାହା ମଣ୍ଡିରେ ମହଜୁଦ ଥିବା ପିଆଜ। ଖରିଫ ଋତୁରେ ହୋଇଥିବା ପିଆଜ ଚାଷ ନଭେମ୍ୱରରେ ବଜାରକୁ ଆସିବ ବୋଲି ଜଣାପଡ଼ିଛି।

Comments are closed.