Odisha Link
Bridging the Missing Links in Odisha

ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ସାରା ବିଶ୍ବ ଦେଖିବ ଫନି କାହାଣୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ମୋଦିଙ୍କ ପଥରେ ନବୀନ। ସାରା ବିଶ୍ବ ମୋଦିଙ୍କୁ ଦେଖିଲା ପରେ ପୂରା ବିଶ୍ୱ ଦେଖିବ ନବୀନଙ୍କ ଫନି ମୁକାବିଲାର ଝଲକ। ମ୍ୟାନ୍ ଭର୍ସେସ ୱାଇଲ୍ଡ ସୋ’ରେ ପ୍ରଧାନମନ୍ତ୍ରୀ ମୋଦି ନଜର ଆସିଥିବା ବେଳେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିବାକୁ ପାଇବେ ବିଶ୍ୱବାସୀ।

ନବୀନଙ୍କୁ ନେଇ ସୁଟିଂ ହୋଇଥିବା ଏହି ସ୍ୱତନ୍ତ୍ର ସୋ’ରେ ଫନି ମୁକାବିଲାର ପୂରା କାହାଣୀ ଦେଖିବାକୁ ମିଳିବ। ଆସନ୍ତା ସେପ୍ଟେମ୍ବର ୨୭ ତାରିଖ ରାତି ୯ଟାରେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ଏହି ସୋ’ର ପ୍ରସାରଣ କରାଯିବ। ତେବେ ଟେଲିକାଷ୍ଟ ହେବା ପୂର୍ବରୁ ଏହି ସ୍ୱତନ୍ତ୍ର ସୋ’ର ପ୍ରୋମୋ ସାମ୍ନାକୁ ଆସିଛି।

ଏହି ପ୍ରୋମୋରେ ଖାସକରି ଫନିର ସଫଳ ମୁକାବିଲାର ଝଲକ ଦେଖିବାକୁ ମିଳିଛି। ବାତ୍ୟା ଫନି ମାଡି ଆସୁଥିବା ବେଳେ ରାଜ୍ୟ ସରକାର କିଭଳି ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଥିଲେ ତାହା ଦେଖିବାକୁ ମିଳିବ। ଫନିର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର କିଭଳି ଦିନରାତି ଏକ କରି ଦେଇଥିଲେ ତାହା ଏହି ସୋ’ରେ ଦେଖିବାକୁ ପାଇବେ ବିଶ୍ୱବାସୀ। ୧୯୯୯ ମହାବାତ୍ୟାରୁ ୨୦୧୯ ପ୍ରଳୟଙ୍କାରୀ ଫନି ପର୍ଯ୍ୟନ୍ତ, ବାତ୍ୟାକୁ ନେଇ ଗତ ଦୁଇ ଦଶନ୍ଧିର କାହାଣୀ କହିବେ ନବୀନ। ପ୍ରଳୟଙ୍କାରୀ ବାତ୍ୟା ଫୋନି ସଫଳ ମୁକାବିଲା କରିଥିବା ନବୀନ ସରକାର ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କିଭଳି କରାଯାଇପାରିବ ସେ ବାବଦରେ ସାରା ବିଶ୍ୱକୁ ବତାଇବେ ସମାଧାର ସୁତ୍ର।

ପ୍ରଳୟଙ୍କାରୀ ବାତ୍ୟା ଫନିର ସଫଳ ମୁକାବିଲାକୁ ନେଇ ସୁଟିଂ ହୋଇଥିବା ଏହି ସୋ’ର ନାଁ ରହିଛି MEGA CYCLONE FANI : ‘RESCUING A MILLION’। ନବୀନ ନିବାସରେ ଏହାର ଅଧିକାଂଶ ଭାଗ ସୁଟିଂ ହୋଇଥିବା ବେଳେ ଆଉ କିଛି ଭାଗ ବାତ୍ୟା ପ୍ରପୀଡିତ ଅଞ୍ଚଳରେ ସୁଟିଂ କରାଯାଇଛି। ଏହାପୂର୍ବରୁ ବାତ୍ୟା ଫନିର ସଫଳ ମୁକାବିଲା ପାଇଁ ନବୀନଙ୍କୁ ଅର୍ନ୍ତଜାତୀୟ ଗଣମାଧ୍ୟମ ସହ ଜାତିସଂଘରୁ ମଧ୍ୟ ପ୍ରଂଶସା ମିଳିଥିଲା। ତେବେ ଫନି ସମୟରେ ରେସ୍କ୍ୟୁ ଅପରେସନ କିଭଳି ଥିଲା ତାହା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପୂରା ବିଶ୍ୱ ଦେଖିବ।

 

Comments are closed.