Odisha Link
Bridging the Missing Links in Odisha

ଅଡିଟ୍ ହେବ ରାଜ୍ୟର ବିଭିନ୍ନ ମନ୍ଦିର

ଭୁବନେଶ୍ବର: ରାଜ୍ୟରେ ଥିବା ବିଭିନ୍ନ ମନ୍ଦିର ଏଥର ଅଡିଟ୍ କରାଯିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ସେହିଭଳି ଯେଉଁ ଅଡିଟରମାନେ ଅଡିଟ୍ କରିବେ ସେମାନଙ୍କୁ ପ୍ରିନସିପାଲ ଆକାଉଣ୍ଟାଣ୍ଟ ଜେନେରାଲ ନୋମିନେଟ୍ କରିବେ। ଅଡିଟ୍ ହେବାକୁ ଥିବା ବିଭିନ୍ନ ଜିଲ୍ଲାର ୬୧ ଟି ମନ୍ଦିର, ମଠ ଦେବୋତ୍ତର ବିଭାଗ ଅଧିନରେ ଥିବା ବିଭିନ୍ନ ଇନଷ୍ଟିଚ୍ୟୁସନ୍ ରହିଛି। ଭୁବନେଶ୍ବରର ରାମ ମନ୍ଦିର, ଲିଙ୍ଗରାଜ ମନ୍ଦିର ଭଳି ୭ଟି ମନ୍ଦିର, କଟକର ଚଣ୍ଡି ମନ୍ଦିର, ବାଙ୍କୀର ଚର୍ଚ୍ଚିକା ଭଳି ୬ଟି ମନ୍ଦିରର ଅଡିଟ୍ ହେବ।
ସେହିଭଳି ଅଡିଟ୍ ହେବାକୁ ରହିଛି ପୁରୀର ବାଟମଙ୍ଗଳା, ଜଗନ୍ନାଥ ବଲ୍ଲଭ ମଠ, ବ୍ରହ୍ମଗିରିର ଅଲାରନାଥ ମନ୍ଦିର, କାକଟପୁରର ମା’ ମଙ୍ଗଳା ମନ୍ଦିର ଭଳି ୧୪ ଟି ମନ୍ଦିର ଓ ମଠ। ସେହିଭଳି କେନ୍ଦ୍ରାପଡାର ବଳଦେବ ଜୀଉ ମନ୍ଦିର, ଜଗତସିଂପୁର ମା’ ସାରଳାଙ୍କ ମନ୍ଦିର, ଯାଜପୁରର ମା’ ବିରଜା ମନ୍ଦିର ଆଦି ରହିଛି। ସେପଟ ଲିଙ୍ଗରାଜ ମନ୍ଦିରର ରକ୍ଷଣାବେକ୍ଷଣ ଓ ସୁରକ୍ଷା ନେଇ ପ୍ରତ୍ନତାତ୍ତ୍ବିକ ବିଭାଗ ଚରମ ଅବହେଳା ପ୍ରଦର୍ଶନ କରିଛି ବୋଲି ଦେବୋତ୍ତର କମିଶନ ଚିତ୍ତରଞ୍ଜନ ମହାପାତ୍ର ପ୍ରତ୍ନତାତ୍ତ୍ବିକବିଭାଗର ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ମନ୍ଦିର ଚତୁଃପାର୍ଶ୍ବରେ ଥିବା ଜବରଦଖଲ ଉଚ୍ଛେଦ ଓ ମନ୍ଦିରରେ ଦେଖାଦେଇଥିବା ଫାଟର ମରାମତି ଆଦି ନେଇ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି।

Comments are closed.