ବିମାନ ବନ୍ଦର ନୁହେଁ, ବରମୁଣ୍ଡା ବସ୍ଷ୍ଟାଣ୍ଡ!

ଭୁବନେଶ୍ବର: ଏ ଦୃଶ୍ୟ କୌଣସି ବିମାନ ବନ୍ଦରର ନୁହେଁ ବରଂ ଏହା ହେଉଛି ବରମୁଣ୍ଡା ବସ୍ଷ୍ଟାଣ୍ଡ। ଏପରି ଦିଶିବ ବରମୁଣ୍ଡା ବସ୍ଷ୍ଟାଣ୍ଡ। କାରଣ ବରମୁଣ୍ଡା ବସ୍ଷ୍ଟାଣ୍ଡର ନବକଳେବର କରାଇବେ ରାଜ୍ୟ ସରକାର। ଏଥିପାଇଁ ୧୬୦ କୋଟି ୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏନେଇ ଲୋକସେବା ଭବନରେ ଗୁରୁବାର ବସିଥିବା ରାଜ୍ୟ କ୍ୟାବିନେଟ୍ରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି। ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ପାଇଁ ଟେଣ୍ଡରକୁ ଅନୁମୋଦନ ମିଳିଛି।
ଦୁଇ ବର୍ଷରେ ବରମୁଣ୍ଡା ବସ୍ଷ୍ଟାଣ୍ଡର ରୂପରେଖ ବଦଳିବ ବୋଲି କୁହାଯାଉଛି। ଦୁଇ ବର୍ଷ ପରେ ନୂଆ ବରମୁଣ୍ଡା ବସ୍ଷ୍ଟାଣ୍ଡ କେମିତି ଦେଖାଯିବ ତାର ଫଟୋ ଏବେ ସାମ୍ନାକୁ ଆସିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି।
ଭାରତ ସରକାରଙ୍କ ବ୍ରିଜ୍ ଆଣ୍ଡ ରୁଫ୍ ସଂସ୍ଥା ବରମୁଣ୍ଡା ବସ୍ଷ୍ଟାଣ୍ଡକୁ ନୂଆ ରୂପ ଦେବାର ଦାୟିତ୍ୱ ନେଇଛି। ବିଡିଏ ଏହାର ତଦାରଖ ଦାୟିତ୍ୱରେ ରହିଛି।ଟର୍ମିନାଲ ପାଇଁ ୧ ଲକ୍ଷ ୩୧ ହଜାର ୭୧୩ ସ୍କୋୟାରଫୁଟ ଅଞ୍ଚଳ ରହିଛି। ନୂଆ ବସ୍ ବେ’ ନିର୍ମାଣ ହେବ। ଏଥିରେ ୩୫ ଖଣ୍ଡ ବସ୍ ରହିବାର ସୁବିଧା ରହିବ। ଏହି ବସ୍ଷ୍ଟାଣ୍ଡରେ ୧୯୦ଟି ବସ୍ ରହିବା ପାଇଁ ପାର୍କିଙ୍ଗ ବ୍ୟବସ୍ଥା କରାଯିବ। ଏହାସହ ଚାରିଚକିଆ ଯାନ ପାଇଁ ୨୫୦ଟି ଓ ଦୁଇ ଚକିଆଯାନ ପାଇଁ ୧୭୫ଟି ପାର୍କିଂ ସ୍ଥଳ ନିର୍ମାଣ କରାଯିବ।