Odisha Link
Bridging the Missing Links in Odisha

ବିଜେପି ନେତା ସନତ ଗଡ଼ତିଆ କିଣିଲେ ଫର୍ମ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜେଡି ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି। ଅପରପକ୍ଷେ ବିଜେପି ରବିବାର ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ମିଳିଛି। ହେଲେ ବିଜେପି ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ସନତ ଗଡ଼ତିଆ ନାମାଙ୍କନପତ୍ର କିଣି ସାରିଛନ୍ତି।

ଶୁକ୍ରବାର ରିଟର୍ଣ୍ଣିଂ ଅଫିସର ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୫ ଜଣ ଆଶାୟୀ ପ୍ରାର୍ଥିପତ୍ର ନେଇଥିବା ଜଣାପଡ଼ିଛି। ସେମାନେ ହେଲେ ଅଖିଳ ଭାରତ ହିନ୍ଦୁ ମହାସଭାର ଅଶୋକ ମିତ୍ତଲ, ସମାଜବାଦୀ ପାର୍ଟିର ଗୟାଧର ପୂଝାରୀ, ବିଜେପିର ସନତ ଗଡ଼ତିଆ, କଂଗ୍ରେସର ଦିଲ୍ଲୀପ ପଣ୍ଡା ଓ ସ୍ୱାଧୀନ ପ୍ରାର୍ଥୀ ପ୍ରିୟରଞ୍ଜନ ଭୋଇ। ସମସ୍ତ ଆଶାୟୀ ୪ ସେଟ୍ ଲେଖାଏଁ ପ୍ରାର୍ଥିପତ୍ର ନେଇଥିବା ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

୨୦୧୮ ବିଜେପୁର ଉପନିର୍ବାଚନ ବେଳେ ବିଜେପି ଆଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଆଶ୍ଚର୍ଯ୍ୟର କଥା ୨୦୧୯ ସାଧାରଣ ନିର୍ବାଚନରେ ଦଳ ଅଶୋକଙ୍କ ବଦଳରେ ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଥିଲା। ବିଜେପୁରରେ ନବୀନ ପଟ୍ଟନାୟକ ଲଢିବା ସତ୍ୱେ ସନତ ୫୦ ହଜାରରୁ ଊଦ୍ଧ୍ୱର୍ ଭୋଟ ପାଇପାରିଥିଲେ। ଆଗାମୀ ଉପନିର୍ବାଚନରେ ସନତ ହିଁ ପ୍ରାର୍ଥୀ ହେବା ପାଇଁ ପ୍ରମୁଖ ଦାବିଦାରଭାବେ ଉଭା ହୋଇଥିଲେ। କିନ୍ତୁ ପଦ୍ମପୁରର ପୂର୍ବତନ ବିଧାୟକ ମଧ୍ୟ ଏହି ଦୌଡ଼ିରେ ରହିଥିଲେ। ଫଳରେ ସନତଙ୍କ ନାମାଙ୍କନପତ୍ର କିଣିବାକୁ ନେଇ ବିଜେପି ରାଜନୀତିରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି। କେତେକଙ୍କ ମତରେ ସନତ ପ୍ରାର୍ଥୀ ହେବେ ବୋଲି ପ୍ରାକ ସୂଚନାପାଇଥିବାରୁ ଫର୍ମ କିଣିଥିବା ମତ ପୋଷଣ କରିଛନ୍ତି। କିନ୍ତୁ ଅନ୍ୟ ଏକ ଗୋଷ୍ଠୀର ଯୁକ୍ତି ହେଉଛି ଚାପ ସୃଷ୍ଟି ଲକ୍ଷ୍ୟରେ ସନତ ନାମାଙ୍କନ ପତ୍ର କିଣିଛନ୍ତି। ତେବେ ଆସନ୍ତାକାଲି ବିଜେପି କାହାକୁ ପ୍ରାର୍ଥୀ କରିବ ତାହା ସ୍ପଷ୍ଟ ହୋଇଯିବ।

Comments are closed.