Odisha Link
Bridging the Missing Links in Odisha

ଓଡ଼ିଶା ପର୍ଯ୍ୟଟନ ଆନୁକୂଲ୍ୟରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଉତ୍ସାହ ଉଦ୍ଦୀପନାର ସହିତ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି । ସକାଳେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମାଷ୍ଟରକ୍ୟାଣ୍ଟିନ୍‌ଠାରେ ସବୁଜ ପତାକା ଦେଖାଇ ପର୍ଯ୍ୟଟନ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଓଡ଼ିଶା ହୋଟେଲ୍‌ ଏଣ୍ଡ ରେସ୍ତୋରାଁ ଆସୋସିଏସନ୍‌, ଓଡ଼ିଶା ଟ୍ରାଭେଲ୍‌ ଏଜେଣ୍ଟ ଆସୋସିଏସନ୍‌, ଓଡ଼ିଶା ଟୁର ଅପରେଟର୍ସ ଆସୋସିଏସନ୍‌,ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ୍‌ ଟୁର ଅପରେଟର୍ସ (ଓଡ଼ିଶା ରାଜ୍ୟ ଶାଖା), ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟି ଅଫ୍‌ ଟୁରିଜିମ୍‌ ଏଣ୍ଡ ଟ୍ରାଭେଲ୍‌ ମ୍ୟାନେଜ୍‌ମେଣ୍ଟ, ଇନ୍‌ଷ୍ଟିଚ୍ୟୁଟି ଅଫ୍‌ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ, ସ୍କେଟିଂ ଆସୋସିଏସନ୍‌, ଟୁରିଜିମ୍‌ ଏଣ୍ଡ ହସ୍‌ପିଟାଲ୍‌ ମ୍ୟାନେଜ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍ ର ସଦସ୍ୟ ଏବଂ ଛାତ୍ରଛାତ୍ରୀବୃନ୍ଦ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।

ଓଡ଼ିଶା ପର୍ଯ୍ୟଟନ ନିଗମ (ଓଟିଡିସି)ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଭାଗୀୟ କମିଶନର ତଥା ଶାସନ ସଚିବ ବିଶାଳ କୁମାର ଦେବ, ବିଭାଗୀୟ ନିର୍ଦ୍ଦେଶକ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ପଦଯାତ୍ରା ମାଷ୍ଟର କ୍ୟାଣ୍ଟିନ୍‌ରୁ ବାହାରି ଏକାମ୍ର ହାଟ ପର୍ଯ୍ୟନ୍ତ ଆସିଥିଲା । ବାଟରେ ୫ଟି ଭିନ୍ନ ଭିନ୍ନ ସ୍ଥାନରେ ପ୍ରସ୍ତୁତ ପୀଠିକାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଚଳିତ ବର୍ଷ ‘ବିଶ୍ୱ ପର୍ଯ୍ୟଟନ ଦିବସ’ର ବିଷୟ ରହିଛି ‘ପର୍ଯ୍ୟଟନ ଓ ରୋଜଗାର: ସମସ୍ତଙ୍କ ପାଇଁ ଉତ୍ତମ ଭବିଷ୍ୟତ’ । ଭାରତ ଚଳିତ ବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସର ଆୟୋଜକ ରାଷ୍ଟ୍ର । ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରଠାରେ ବିମାନରୁ ଓହ୍ଲାଉଥିବା ପର୍ଯ୍ୟଟକମାନଙ୍କୁ ଅତିଥି ଭାବରେ ସ୍ୱାଗତ କରାଯାଇଥିଲା । ମନ୍ତ୍ରୀ ପାଣିଗ୍ରାହୀ, ଓଟିଡିସିର ଅଧ୍ୟକ୍ଷା, ଶାସନ ସଚିବଙ୍କ ସମେତ ପଦାଧିକାରୀବୃନ୍ଦ ‘ଅତିଥି ଦେବୋ ଭବ’ ଭାବରେ ଗୋଲାପଫୁଲ ଦେଇ ପର୍ଯ୍ୟଟକମାନଙ୍କୁ ଓଡ଼ିଶାକୁ ସ୍ୱାଗତ ଜଣାଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇତି ମଧ୍ୟରେ ଓଡ଼ିଶାକୁ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଆଗମନ ସଂଖ୍ୟାରେ ବିଶେଷ ଅଗ୍ରଗତି ଘଟିଛି ।ଅପରାହ୍ନରେ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଏକ ଖାଦ୍ୟମେଳା (ଫୁଡ୍‌ ଫେଷ୍ଟିଭାଲ୍‌) ଆୟୋଜନ କରାଯାଇଥିଲା । ୨୭ଟି ହୋଟେଲ୍‌ ଓ ରେସ୍ତୋରେଣ୍ଟ ଏହି ମେଳାରେ ବିଭିନ୍ନ ରକମର ଖାଦ୍ୟବ୍ୟଞ୍ଜନ ପରିବେଷଣ କରିବେ । ଖାଦ୍ୟମେଳା ଅକେଫାବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପର୍ଯ୍ୟଟନ ମନ୍ତ୍ରୀ ପାଣିଗ୍ରାହୀ ଅନ୍ୟାନ୍ୟ ଅତିଥିମାନଙ୍କ ଗହଣରେ ଏହି ମେଳା ଉଦ୍‌ଘାଟନ କରିଥିଲେ । ସନ୍ଧ୍ୟାରେ ରବିନ୍ଦ୍ର ମଣ୍ଡପଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେଥିରେ ବିଭିନ୍ନ ପ୍ରତିଯୋଗିତାର ସଫଳ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ ସମେତ ସ୍ମରଣିକା ଲୋକାର୍ପିତ ହୋଇଥିଲା । ପର୍ଯ୍ୟଟନ ବିଭାଗ ସାଂସ୍କୃତିକ ପରିଷଦର ସଦସ୍ୟମାନଙ୍କ ଦ୍ୱାରା ନାଟକ ପରିବେଷଣ କରାଯାଇଥିଲା । ମନ୍ତ୍ରୀ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନର ଅଭିବୃଦ୍ଧି ଦିଗରେ ତତ୍ପରତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ବିଭାଗୀୟ ନିର୍ଦ୍ଦେଶକ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

Comments are closed.