Odisha Link
Bridging the Missing Links in Odisha

ଅକ୍ଟୋବର ୧ରୁ ଦଲାଲମୁକ୍ତ ହେବ ସମସ୍ତ ଆରଟିଓ ଅଫିସ୍

ଭୁବନେଶ୍ବର: ଆସନ୍ତା ପହିଲାରୁ ରାଜ୍ୟର ସମସ୍ତ ଆରଟିଓ ଅଫିସ୍‌ ଦଲାଲମୁକ୍ତ ହେବ। ଜନସାଧାରଣ ଯେପରି ଦଲାଲଙ୍କ ଶୋଷଣରୁ ରକ୍ଷା ପାଇବେ, ସେଥିପାଇଁ ଆରଟିଓମାନେ ବ୍ୟକ୍ତିଗତ ଭାବେ ତଦାରଖ କରିବେ। ସେହିପରି ଲୋକଙ୍କୁ ତ୍ବରିତ ସେବା ପ୍ରଦାନ ପାଇଁ ଅନଲାଇନ୍‌ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ପୁରା ପ୍ରକ୍ରିୟା ସରଳୀକରଣ କରିବା ପାଇଁ ପଦକ୍ଷେପ ନିଆଯିବ। କମ୍‌ ସମୟ ମଧ୍ୟରେ ଲୋକଙ୍କୁ କିପରି ସେବା ମିଳିପାରିବ ତାହା ସୁନିଶ୍ଚିତ କରାଯିବ।
ପରିବହନ କମିଶନର ତଥା ଆଇ.ଜି ସଞ୍ଜୀବ ପଣ୍ଡା ରାଜ୍ୟର ସମସ୍ତ ଆରଟିଓଙ୍କୁ ପତ୍ରଲେଖି କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବା ପାଇଁ ଫଳପ୍ରସୂ ପଦକ୍ଷେପ ନେବା ପାଇଁ କହିଛନ୍ତି। ପତ୍ରରେ ଦର୍ଶାଯାଇଛି, ଆରଟିଓ ଏବଂ ପ୍ରଦୂଷଣ ପରୀକ୍ଷା କେନ୍ଦ୍ର, ଗାଡ଼ି ଚାଳନା ପରୀକ୍ଷା କେନ୍ଦ୍ରରେ ଦଲାଲ୍‌ ଓ ମଧ୍ୟସ୍ଥିଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଇଛି। ଯଦି କୌଣସି ଦଲାଲ୍‌ ଅବା ମଧ୍ୟସ୍ଥି ଏଠାରୁ ଧରାପଡ଼ନ୍ତି ସେମାନଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ। ଯଦି ସେମାନେ କାର୍ଯ୍ୟାଳୟ ନିକଟରେ ବୁଲାବୁଲି କରନ୍ତି ତେବେ ତାଙ୍କୁ ସେଠାରୁ ବାହାର କରିବା ପାଇଁ ଆରଟିଓ ସ୍ଥାନୀୟ ପୁଲିସକୁ ସୂଚନା ଦେବେ। ଆରଟିଓ ପାଚେରି କଡ଼େ କଡ଼େ ଥିବା ଚାଳିଆ, ପିଣ୍ଡି, କ୍ୟାବିନକୁ ତୁରନ୍ତ ଭାଙ୍ଗିବା ପାଇଁ ପଦକ୍ଷେପ ନିଆଯିବ। ଆରଟିଓ ଭିତରେ ଓ ବାହାରେ ସିସିଟିଭି ଲଗାଇବାକୁ କୁହାଯାଇଛି। ଯଦି କୌଣସି ଅସାମାଜିକ ବ୍ୟକ୍ତି, ଦଲାଲ୍‌ ଗଣ୍ଡଗୋଳ କରନ୍ତି ତେବେ ଆରଟିଓମାନେ ସିଧାସଳଖ ଜିଲ୍ଲା ଏସପିଙ୍କୁ ଫୋନ୍‌ କରି ଅଭିଯୋଗ କରିବେ। ସେହିପରି ଜନସାଧାରଣ ମଧ୍ୟ ବେଆଇନ୍‌ କାର୍ଯ୍ୟକଳାପ ସମ୍ପର୍କରେ ପରିବହନ ବିଭାଗ ନିକଟରେ ସିଧାସଳଖ ଅଭିଯୋଗ କରିପାରିବେ।
ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଦଲାଲଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରତ୍ୟେକ ଆରଟିଓ ଏବଂ ଅନ୍ୟ କେନ୍ଦ୍ର ବାହାରେ ସୂଚନା ଫଳକ ଲାଗିବ। ସେହିପରି କୌଣସି କାମ ପାଇଁ ସିଧାସଳଖ ସମ୍ପୃକ୍ତ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ଆଉ ଏକ ସୂଚନା ଫଳକ ଜରିଆରେ ଲୋକଙ୍କୁ ସଚେତନ କରାଯିବ। ଆରଟିଓରେ କାର୍ଯ୍ୟରତ ସରକାରୀ କର୍ମଚାରୀ ନୀଳ ରଙ୍ଗର ଫିତା ଥିବା ପରିଚୟପତ୍ର ରଖିବେ। ନିୟୋଜିତ ଘରୋଇ ସଂସ୍ଥାର କର୍ମଚାରୀ ସବୁଜ ଏବଂ ସ୍ମାର୍ଟଚିପ୍‌ ଲିମିଟେଡ୍‌ କମ୍ପାନୀର କର୍ମଚାରୀମାନେ ହଳଦିଆ ରଙ୍ଗର ଫିତା ଥିବା ପରିଚୟପତ୍ର ରଖିବେ। ଜନସାଧାରଣ ସେମାନଙ୍କ ପରିଚୟପତ୍ର ଯେପରି ଦେଖିପାରିବେ ତାହା କର୍ମଚାରୀମାନେ ସୁନିଶ୍ଚିତ କରିବେ। ଆରଟିଓ ପ୍ରବେଶ ପ୍ରଥ ନିକଟରେ ଏକ ବଡ଼ ସୂଚନା ଫଳକରେ ସେଠାରେ ମିଳୁଥିବା ସମସ୍ତ ସେବା ଓ ତାହାର ଦେୟ ସମ୍ପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ। ସେହିପରି ଜନସାଧାରଣଙ୍କ ସୁବିଧା ପାଇଁ ସମସ୍ତ ଆରଟିଓରେ ଇ-କିଓସ୍କ ଖୋଲିବ। ସେଠାରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇ ଲୋକଙ୍କୁ ସବୁ ପ୍ରକାର ସୂଚନା ଦେବା ବ୍ୟବସ‌୍ଥା ପାଇଁ ଆରଟିଓ ପଦକ୍ଷେପ ନେବେ। ଶ୍ରୀ ପଣ୍ଡା କହିଛନ୍ତି, କଜନସାଧାରଣ ମଧ୍ୟ ସହଯୋଗ କରିବା ଆବଶ୍ୟକ। ଯଦି ଆରଟିଓରେ କୌଣସି ପ୍ରକାର ବେଆଇନ୍‌ କାର୍ଯ୍ୟକଳାପ ହେଉଥାଏ ତେବେ ଲୋକେ ରାଜ୍ୟ ପରିବହନ ପ୍ରାଧିକରଣକୁ ଟ୍ବିଟର୍‌ ଯୋଗେ କିମ୍ବା ଫୋନ୍‌ କରି ଅଭିଯୋଗ କରିପାରିବେ। ଏହା ଉପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଆରଟିଓକୁ ଦଲାଲମୁକ୍ତ କରାଯିବ ବୋଲି ସେ କାହିଛନ୍ତି।

Comments are closed.