Odisha Link
Bridging the Missing Links in Odisha

ବିଜେପୁର ନର୍ବାଚନ: ନାମାଙ୍କନ ଭରିଲେ ୩ ପ୍ରାର୍ଥୀ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ସବୁ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇସାରିଛି। ତେବେ ଆଜି ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ସବୁ ଦଳର ପ୍ରାର୍ଥୀ ନିଜ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା, ବିଜେଡି ପ୍ରାର୍ଥୀ ରୀତା ସାହୁ ଓ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ସମସ୍ତ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ରିଟର୍ଣ୍ଣିର୍ ଅଫିସର ତଥା ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ନିଜ ନିଜ ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରଥମେ କଂଗ୍ରେସ ବିଜେପୁର ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ନିରାଡମ୍ବର ଭାବେ ଆସି ଉପଜିଲ୍ଳାପାଳଙ୍କ ଅଫିସରେ ତାଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଏହାପରେ ବିଶାଳ ରାଲିରେ ଆସି ରୀତା ସାହୁ ଆସି ନାମାଙ୍କପତ୍ର ଭରିଥିଲେ। ନାମାଙ୍କନ ପୂର୍ବରୁ ଶୋଭାଯାତ୍ରାରେ ଆସିଥିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ। ଏହି ଶୋଭାଯାତ୍ରାରେ ଜିଲା ବିଜେଡି ସଭାପତି ଵିଜୟ ରଞ୍ଜନ ସିଂ ବାରିହା, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଟୁକୁନି ସାହୁ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ଵତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମେତ ବହୁ ନେତା ସାମିଲ ହୋଇଥିଲେ।
ପରେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ନିଜର ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଭରିଥିଲେ। ଏହି ଶୋଭାଯାତ୍ରାରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଉପସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, ବିଜେପି ନେତା ପ୍ରଦୀପ ପୁରୋହିତ, ଇରାଶିଷ ଆଚାର୍ୟ୍ୟଙ୍କସହ ବହୁନେତା ଓ ସମର୍ଥକ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ୨୦୧୯ ସାଧାରଣ ନିର୍ବାଚନ ପରେ ସବୁ ରାଜନୈତିକ ଦଳ ଲାଗି ବିଜେପୁର ଏସିଡ଼ ଟେଷ୍ଟ। ଆସନ୍ତା ୨୧ ତାରିଖରେ ବିଜେପୁର ଉପନିର୍ବାଚନର ଭୋଟ ଗ୍ରହଣ ହେବ ଏବଂ ଏହାର ୩ ଦିନ ପରେ ଅର୍ଥାତ ୨୪ ତାରିଖରେ ଭୋଟ ଗଣତି ହେବ।
ଏଠାରେ ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ବିଜେପୁର ଏବଂ ହିଞ୍ଜିଳି ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ। ଏହି ୨ଟି ଆସନରୁ ମୁଖ୍ୟମନ୍ତ୍ରୀ ବିଜୟୀ ହୋଇଥିଲେ। ଫଳରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଆସନ ଛାଡିଥିଲେ। ଏଣୁ ବିଜେପୁରରେ ଉପନିର୍ବାଚନ କରାଯାଉଛି।
ସବୁ ରାଜନୈତିକ ଦଳ ବିଜେପୁରରୁ ବିଜୟ ବାନା ଉଡ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି। ତେବେ ବିଜେପୁର ବାସୀ କେଉଁ ରାଜନୈତିକ ଦଳ ପ୍ରାର୍ଥୀ ଉପରେ ସୁନା କଳସ ଢାଳୁଛନ୍ତି ତାହା ଦେଖିବାର କଥା । ତେବେ ବିଜେଡି ହାତରେ ଥିବା ଏହି ଆସନ ବିଜେଡି ରଖିପାରିବ ନା ବିଜେପି ଛଡାଇ ନେବ ନା କଂଗ୍ରେସ ମ୍ୟାଜିକ କରିବ ତାହା ଆଗାମୀ ଦିନରେ ଜଣାପଡିବ।

Comments are closed.