Odisha Link
Bridging the Missing Links in Odisha

ନଗଡ଼ା: ଖର୍ଚ୍ଚ ହେଲାଣି ୨୩ କୋଟି ହେଲେ ସ୍ଥିତି ଅପରିବର୍ତ୍ତିତ

ଭୁବନେଶ୍ବର: ୨୦୧୬ ମସିହାରେ ସାରା ଦେଶରେ ଚର୍ଚ୍ଚାରେ ଥିଲା ନଗଡ଼ା। ଦିନେ ଅପପୁଷ୍ଟିକୁ ନେଇ ଦେଶକୁ ହୁଲୁସ୍ତୁଲ କରିଥିବା ନଗଡ଼ା ପୁଣି ତିନି ବର୍ଷର ବ୍ୟବଧାନରେ ପୁଣି ଚର୍ଚ୍ଚାକୁ ଆସିଛି। ସରକାରୀ ହିସାବରେ ୨୩ କୋଟି ଖର୍ଚ୍ଚ ସରିଛି ହେଲେ ପରିସ୍ଥିତିରେ ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ। ଏଭଳି ଅଭିଯୋଗ ହେବା ପରେ ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିସନ (ଏନଏଚଆରସି)।

୪ ସପ୍ତାହ ମଧ୍ୟରେ ରିପୋର୍ଟ ଉପସ୍ଥାପନ ନ କଲେ ବ୍ୟକ୍ତିଗତ ଭାବରେ ହାଜର ହୋଇ ଉତ୍ତର ରଖିବା ପାଇଁ କୁହାଯାଇଛି। ସରକାର ଅର୍ଥ ଖର୍ଚ୍ଚ କରିଥିଲେ ମଧ୍ୟ ନଗଡ଼ାର ଦୟନୀୟ ସ୍ଥିତି କାହିଁକି ବଦଳି ନାହିଁ ସେ ସମ୍ପର୍କରେ କମିସନ ଜାଣିବାକୁ ଚାହିଁଛନ୍ତି। ‘ଖାଦ୍ୟ ଅଧିକାର ଅଭିଯାନ’ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ନଗଡ଼ାର ଏଭଳି ସ୍ଥିତି ପଦାକୁ ଆସିବା ପରେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଗତ ଅଗଷ୍ଟ ମାସରେ ପିଟିସନ୍ ଦାୟର କରିଥିଲେ। ପିଟିସନକୁ ବିଚାର କରି କମିସନ ଏହି ନିର୍ଦ୍ଦେଶ ଦେଇଛନ୍ତି।

୨୦୧୬ ଜୁଲାଇ ମାସରେ ଗଣମାଧ୍ୟମରେ ନଗଡ଼ାରେ ଶିଶୁମାନଙ୍କ ପୁଷ୍ଟିହୀନତାରେ ମୃତ୍ୟୁ ଘଟଣା ପଦାକୁ ଆସିଥିଲା। ଅପପୁଷ୍ଟି ଯୋଗୁ ଶିଶୁମାନେ ଏଠାରେ ଲଗାତାର ମୃତ୍ୟୁ ବରଣ କରୁଥିଲେ। ସରକାର ଏହାକୁ ଗୁରୁତ୍ବର ସହ ନେଇଥିଲେ। ସେଠାରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ତିନି ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ପରିସ୍ଥିତିରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇନାହିଁ।

ଖର୍ଚ୍ଚ ହୋଇପାରୁନି ଟଙ୍କା:
‘ଖାଦ୍ୟ ଅଧିକାର ଅଭିଯାନ’ର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗତ ଜୁଲାଇ ୮ ତାରିଖରେ ନଗଡ଼ା ଯାଇଥିଲେ। ସେଠାରେ ଏବେ ବି ଶିଶୁମାନେ ପୁଷ୍ଟିହୀନତାର ଶିକାର ହୋଇଥିବା ଦେଖିବାକୁ ପାଇଥିଲେ। ଏମ୍‌ଜିଏନଆରଜିଏ ଅଧୀନରେ ୮୮ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିଲେ ମଧ୍ୟ ଏଥିରୁ ମାତ୍ର ୪ ଲକ୍ଷ ଟଙ୍କା ହିଁ ଖର୍ଚ୍ଚ ହୋଇପାରିଛି। ନବନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଥିବାରୁ ଗାଁ ଲୋକମାନେ ବିଶୁଦ୍ଧ ଜଳରୁ ବଞ୍ଚିତ ହେଉଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମୁତାବକ ନଗଡ଼ା ପାଇଁ ବିଭିନ୍ନ ପ୍ରକଳ୍ପରେ ୨୩ କୋଟିରୁ ଅଧିକ ଟଙ୍କା ଖର୍ଚ ହୋଇ ସାରିଛି। କିନ୍ତୁ ପରିବର୍ତ୍ତନ ଆସିନଥିବାରୁ କେଉଁଠି ସମସ୍ୟା ରହିଲା ତାହା ଉପରେ କମିସନ ଉତ୍ତର ମାଗିଛନ୍ତି।

Comments are closed.