ନବୀନ ବିଜେପୁର କାହିଁକି ଛାଡ଼ିଲେ: ଧର୍ମେନ୍ଦ୍ର

ବିଜେପୁର: ପୂଜା ସରିବା ପରେ ଆଜି ବଢ଼ିଛି ବିଜେପୁର ଉପନିର୍ବାଚନ ତାତି। ବିଭିନ୍ନ ଦଳରେ ନେତା ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହି କ୍ରମରେ ଆଜି ବିଜେପିୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଛନ୍ତ । ଗାଇସିଲଟ ବ୍ଲକ ତଳପାଲିଠାରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ଧର୍ମେନ୍ଦ୍ର। ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ଖାଲି ଟାର୍ଗେଟ କରିନାହାନ୍ତି ତାଙ୍କୁ କିଛି ପ୍ରଶ୍ନ ମଧ୍ୟ ପଚାରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଠିଆ ହୋଇଥିଲେ। ଗୋଟିଏ ବିଜେପୁର ଆଉ ଏକ ହିଞ୍ଜିଳିକାଟୁ। ହେଲେ ସାଧାରଣ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ବିଜେପୁରର ଦାୟିତ୍ବ ନେବେ ବୋଲି କହିଥିଲେ। ଏହାସହିତ ନିର୍ବାଚନରେ ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିତିଥିଲେ। ହେଲେ ବିଜେପୁର ଛାଡ଼ି ଚାଲିଗଲେ। ତେବେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଛାଡ଼ିପାରିଥାନ୍ତେ। କିନ୍ତୁ ବିଜେପୁର ଛାଡ଼ିଦେଲେ। ହିଞ୍ଜିଳିରେ ନହୋଇ କାହିଁକି ବିଜେପୁରରେ ଉପନିର୍ବାଚନ ହେଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜେପୁରର ଦାୟିତ୍ୱ ନେଲେ ବୋଲି କହିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ କି ଦାୟିତ୍ୱ ନେଲେ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ବିଜେପୁର ଏବଂ ହିଞ୍ଜିଳି ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ। ଏହି ୨ଟି ଆସନରୁ ମୁଖ୍ୟମନ୍ତ୍ରୀ ବିଜୟୀ ହୋଇଥିଲେ। ଫଳରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ଆସନ ଛାଡିଥିଲେ। ଏଣୁ ବିଜେପୁରରେ ଉପନିର୍ବାଚନ କରାଯାଉଛି।
ସବୁ ରାଜନୈତିକ ଦଳ ବିଜେପୁରରୁ ବିଜୟ ବାନା ଉଡ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ବିଜେପୁର ବାସୀ କେଉଁ ରାଜନୈତିକ ଦଳ ପ୍ରାର୍ଥୀ ଉପରେ ସୁନା କଳସ ଢାଳୁଛନ୍ତି ତାହା ଦେଖିବାର କଥା । ତେବେ ବିଜେଡି ହାତରେ ଥିବା ଏହି ଆସନ ବିଜେଡି ରଖିପାରିବ ନା ବିଜେପି ଛଡାଇ ନେବ ନା କଂଗ୍ରେସ ମ୍ୟାଜିକ କରିବ ତାହା ଆଗାମୀ ଦିନରେ ଜଣାପଡିବ ।