Odisha Link
Bridging the Missing Links in Odisha

ପରୀକ୍ଷା ହଲରେ ପରୀକ୍ଷାର୍ଥୀ କଲେ ଡିଜିଟାଲ କପି, ନେଲେ ସେଲଫି

ମାଲକାନଗିରି: ପାଠପଢ଼ା, ପରୀକ୍ଷା ଏବଂ କପି ମଧ୍ୟରେ ଏକ ନିବିଡ଼ ସମ୍ପର୍କ ରହିଥାଏ। ହେଲେ ଏ ଡିଜିଟାଲ ଯୁଗରେ ମଧ୍ୟ ସବୁକିଛି ଡିଜିଟାଲ ହୋଇଯାଇଛି। ଡିଜିଟାଲ କ୍ଲାସ୍‌ରୁମ୍, ଡିଜିଟାଲ ମାଧ୍ୟମରେ ପାଠପଢ଼ା ନିଶ୍ଚୟ ଶୁଣିଥିବେ। ହେଲେ କେବେ ଡିଜିଟାଲ କପି ଶୁଣିନଥିବେ। ଏବଂ କପି କରି ଫଟୋ ସୋଶିଆଲ ମଡିଆରେ ଛାଡ଼ିବା ଘଟଣା ମଧ୍ୟ କେବେ ଶୁଣିନଥିବେ। ତେବେ ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ।

ପରୀକ୍ଷା ହଲରେ ପିଲା ମୋବାଇଲ ନେବା ସହ କପି କରୁଥିବା ଚିତ୍ର ଏବେ ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ପରୀକ୍ଷା ହଲରେ ବସି ସେଲଫି ନେଉଛନ୍ତି ଛାତ୍ର। ଯାହା ଏବେ ଚର୍ଚ୍ଚାର ବିଷୟ। ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳର ଏକ ମହାବିଦ୍ୟାଳୟର ଛାତ୍ରଙ୍କ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ମହାବିଦ୍ୟାଳୟ ମାନଙ୍କରେ ସୂଚାରୁ ରୂପେ ପରୀକ୍ଷା ସଂପାଦନ କରିବା ସହ କପି ରୋକିବାକୁ ସରକାର କେତେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ହେଲେ ଏହାର ବାସ୍ତବ ଚିତ୍ର କିନ୍ତୁ, କିଛି ଅଲଗା। ଏଠାରେ ପରୀକ୍ଷାର୍ଥୀ କପି ତ କରୁଛନ୍ତି ତା ସହ କପି କରୁଥିବା ଦୃଶ୍ୟ ଚିତ୍ରକୁ ମୋବାଇଲରେ ଉତ୍ତୋଳନ କରୁଛନ୍ତି।

ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ୧୯୭୯ରେ ରାଜ୍ୟ ସରକାର ମାଲକାନଗିରି ସଦର ମହକୁମାରେ ନିର୍ମାଣ କଲେ ମହାବିଦ୍ୟାଳୟ। ଯାହାର ନାଁ ମାଲକାନଗିରି ମହାବିଦ୍ୟାଳୟ । ଏହି ମହାବିଦ୍ୟାଳୟ ରେ ଯୁକ୍ତ ଦୁଇ ଠାରୁ ଆରମ୍ଭ କରି ଯୁକ୍ତ ତିନି ପର୍ଯ୍ୟନ୍ତ କଳା ଓ ବାଣିଜ୍ୟ ବିଭାଗର ପାଠ୍ୟକ୍ରମ ମଧ୍ୟ ରହିଲା। ଆଉ ଅନ୍ୟ ମହାବିଦ୍ୟାଳୟ ଭଳି ଏହି ମହାବିଦ୍ୟାଳୟରେ ମଧ୍ୟ ସରକାରଙ୍କ ନିୟମ ଅନୁଯାୟୀ ପରୀକ୍ଷା ବ୍ୟବସ୍ଥା କରାଯାଇଛି । ଏହି କ୍ରମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଲକାନଗିରି ମହାବିଦ୍ୟାଳୟରେ ଯୁକ୍ତ ତିନିର ଇଣ୍ଟରନାଲ ପରୀକ୍ଷା ଚାଲୁଥିଲା ।

ଆଉ ଏହି ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷାର୍ଥୀ ପରୀକ୍ଷା ହଲକୁ ମୋବାଇଲ ନେଇ କପି କରିବା ସହ କପି କରୁଥିବା ଫଟୋକୁ ଏବେ ସୋସିଆଲ ମିଡିଆରେ ଛାଡ଼ିଦେଇଛନ୍ତି। ଏଥିରେ ଜଣେ ପରୀକ୍ଷାର୍ଥୀ ନୁହଁ ଏକା ଥରକେ ଚାରି ଚାରି ଜଣ ପରୀକ୍ଷାର୍ଥୀ ଏଭଳି କରିଛନ୍ତି । କେବଳ ଏତିକି ନୁହେଁ ଫଟୋ ଗୁଡିକ ସୋଶିଆଲ ମିଡିଆରେ ଛାଡ଼ିବା ସହ ପୋଷ୍ଟରେ ଲେଖିଛନ୍ତି ଏକ୍ସାମ ଟାଇମ ବୋଲି।

Comments are closed.