Odisha Link
Bridging the Missing Links in Odisha

ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ଥାନାରେ ଏତଲା

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଆଜି ବିଜେପି ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ଥାନାରେ ଏସ୍‌ପି ଚରଣ ସିଂ ମୀନାଙ୍କ ନାଆଁରେ ଏତଲା ଦିଆଯାଇଥିବା ଜଣାଯାଇଛି।
ବିଜେପିର ଅଭିଯୋଗ ଯେ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଏସ୍‌ପି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାଁନ୍ତି। ଏହା ସହିତ ଏସ୍‌ପି ତଦନ୍ତକୁ ବାଟବଣା କରିବାକୁ ଅପଚେଷ୍ଟା କରୁଛନ୍ତି। ଏ ନେଇ ବିଜେପି ଯାଜପୁର ଜିଲ୍ଲାର ବିଭିନ୍ନ ଥାନାରେ ଏସ୍‌ପିଙ୍କ ନାଁରେ ଏତଲା ଦେଇଛି। ଏହା ସହିତ ଥାନା ମଧ୍ୟ ଘେରାଉ କରାଯାଇଛି। ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।ଏହା ସହିତ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ମଧ୍ୟ ଦାବି କରିଛି ବିଜେପି। ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲିଛି।
ଏଣେ ମୁଖ୍ୟ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ ରଙ୍ଗଶାଳା ପ୍ରଶାସନ ନିୟନ୍ତ୍ରଣକୁ ଯାଇଛି। ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ୍ ସରକାରୀ ଜମିରେ ଅବସ୍ଥିତ ଥିବା ପ୍ରମାଣ ମିଳିଥିଲା। ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ତଦନ୍ତ କରିଥିଲେ।
ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିଲା କି ଏହି ଗେଷ୍ଟ ହାଉସଟି ସରକାରୀ ଜମିରେ ନିର୍ମାଣ କରାଯାଇଛି। ତେଣୁ ତୁରନ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଶୁକ୍ରବାର ସ୍ଥାନୀୟ ତହସିଲଦାର ଗେଷ୍ଟହାଉସ୍ ସିଲ୍ କରାଯିବା ସହ ୧୪୪ ଧାରା ଲାଗୁ ହୋଇଛି।

Comments are closed.