ଅଯୋଧ୍ୟାରେ ଜଳିଲା ୫.୫ ଲକ୍ଷ ଦୀପ, ଯୋଗୀ କହିଲେ..

ଅଯୋଧ୍ୟା: ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ର ଦୀପାବଳିରେ ଅଯୋଧ୍ୟାରେ ପହଞ୍ଚିଥିଲେ। ଏହି ମୁହୂର୍ତ୍ତକୁ ମନେ ପକାଇ ଅଯୋଧ୍ୟାର ସରଯୂ ନଦୀ କୂଳରେ ଯୋଗୀ ସରକାର ପାଳନ କରିଛନ୍ତି ଆଲୋକର ଉତ୍ସବ ଦୀପାବଳି ବା ଦୀପୋତ୍ସବ। ଉତ୍ତରପ୍ରଦେଶର ବିଜେପି ସରକାର ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଚଳିତ ବର୍ଷ ୫.୫ ଲକ୍ଷ ମାଟି ଦୀପ ଜଳାଇଛନ୍ତି, ଯାହାକି ସର୍ବକାଳୀନ ରେକର୍ଡ।
ପରମ୍ପରା ଅନୁଯାୟୀ ଏଥର ଫିଜି ମନ୍ତ୍ରୀ ବୀଣା ଭଟନାଗର ଅତିଥି ଭାବ ଯୋଗଦେଇଥିଲେ ଏବଂ ପ୍ରଥମ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ର ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଏବଂ ଅନ୍ୟ ପଦାଧିକାରୀ ମଧ୍ୟ ଏଥିରେ ଯୋଗଦେଇଥିଲେ। ଭଟନାଗର ଭାରତୀୟ ବଂଶୋଦ୍ଭବ। ସେ ଫିଜି ସରକାରରେ ମହିଳା, ଶିଶୁ ଏବଂ ଦାରିଦ୍ର୍ୟ କଲ୍ୟାଣ ଉପମନ୍ତ୍ରୀ ଅଛନ୍ତି। ସେ ଶୁକ୍ରବାର ଲକ୍ଷ୍ନୌ ପହଞ୍ଚି ଯୋଗୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ଯୋଗୀ ଆଦିତ୍ୟନାଥ ଚଳିତ ବର୍ଷର ଦୀପୋତ୍ସବ ଅବସରରେ କହିଛନ୍ତି, “ଆମ ସରକାର ରାମଙ୍କ ମାର୍ଗରେ ସବୁବେଳେ ଚାଲିଆସିଛି। ଆମେ କୌଣସି ସୀମା ଲଂଘନ ନକରି ମଧ୍ୟ ବିଜୟ ମନାଇପାରିବା। ପ୍ରଭୁ ରାମ ଧାର୍ଯ୍ୟ କରିଥିବା ସୀମା ସବୁବେଳେ ଆମକୁ ବିଜୟୀ କରାଇଛି। ସେ ନିର୍ଦ୍ଧାରଣ କରିଥିବା ସୀମା ଅତିକ୍ରମ ନ କରି ମଧ୍ୟ ଅଯୋଧ୍ୟା ଅୱଦ୍ଧ ପୁରୀର ମାନ୍ୟତା ପାଇବ।”
ସୂଚନାଇାଉକି, ସୁପ୍ରିମ୍କୋର୍ଟରେ ରାମଜନ୍ମଭୂମିକୁ ନେଇ ମାମଲା ଚାଲୁ ରହିଛି। ଶୁଣାଣି ସରିଥିଲେ ହେଁ ରାୟ ସଂରକ୍ଷିତ ରହିଛି। ଯୋଗୀ ଅଯୋଧ୍ୟା ରାୟ ଆସିବା ପୂର୍ବରୁ ହିଁ ଏଭଳି ମନ୍ତବ୍ୟ ଦେଇ ସଂଯତ ରହିବାକୁ ପରାମର୍ଶ ଦେଇଛନ୍ତି।