ଖଣି ଅଞ୍ଚଳ ପରିଦର୍ଶନ କଲେ ସିଇସି ଟିମ୍

କେନ୍ଦୁଝର: କେନ୍ଦୁଝର ଓ ମୟୁରଭଞ୍ଜ ଖଣି ଅଞ୍ଚଳ ପରିଦର୍ଶନ କଲେ ସିଇସି ଟିମ। ରାଜ୍ୟ ଖଣି ଅଞ୍ଚଳ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ରାଜ୍ୟ ସରକାର କେଉଁ କେଉଁ ପ୍ରକଳ୍ପରେ କେତେ ଟଙ୍କା ଖଣି ଅଞ୍ଚଳରେ କିପରି ଖର୍ଚ୍ଚ କରିଛନ୍ତି ତାର ସରଜମିନ ତଦନ୍ତ କରୁଛି ଟିମ୍। ପ୍ରଥମେ କେନ୍ଦୁଝର ଯୋଡା ସ୍ଥିତ ମିରିଙ୍ଗିସିଙ୍ଗା ଗସ୍ତ କରି ନିର୍ମାଣ ହେବାକୁ ଥିବା ବୃହତ ପାନୀୟ ଜଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି।
ପରେ ଜଙ୍ଗଲ ବିଭାଗ ଦ୍ବାରା ସାନଘାଗରା, ସୁଆକାଠି ସ୍ଥିତ ମାଟବନ୍ଧ, ଗୋନାସିକାରେ ଏଲବିସିଡି ପ୍ରଜେକ୍ଟ ପରିଦର୍ଶନ ସହ ସମୀକ୍ଷା କରାଯାଇଛି। ଓଏମବିଏଡ଼ିସି ପାଣ୍ଠିର ଖର୍ଚ୍ଚ ଅନୁଧ୍ୟାନ ପରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବ କମିଟି।
ଏହା ପୂର୍ବରୁ ଗତକାଲି ଲୋକସେବା ଭବନରେ ସିଇସି ଓ ରାଜ୍ୟ ସରକାରଙ୍କ ଭିତରେ ଏକ ବୈଠକ ବସିଥିଲା। ଖଣି ଅଞ୍ଚଳରେ ସରକାର କେଉଁ ପ୍ରକଳ୍ପରେ କେତେ ଖର୍ଚ୍ଚ କରିଛନ୍ତି ଓ କଣ ପ୍ରକଳ୍ପ ହୋଇଛି, କି କି ଯୋଜନା ଲାଗୁ କରାଯାଇଛି ସେସବୁ ସି.ଇ.ସି.ଙ୍କ ଆଗରେ ଉପସ୍ଥାପନ କରିଛନ୍ତି।
ଓଏମବିଏଡ଼ିସି ପାଣ୍ଠିରେ ଏବେ ପ୍ରାୟ ୧୬ ହଜାର କୋଟି ଟଙ୍କା ରହିଛି। ସେଥିରୁ ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଓଭର୍ ସାଇଟ୍ ଅଥରିଟି ମଞ୍ଜୁର କରିଛନ୍ତି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ୮ଟି ଖଣିଜ ସଂପଦ ବହୂଳ ଜିଲ୍ଲାର ୭ଟି ସେକ୍ଟରରେ ରାଜ୍ୟ ସରକାର ଏହି ଅର୍ଥ ଉପଯୋଗ କରିବେ। ବିଶେଷ କରି ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ଗ୍ରାମ୍ୟ ରାସ୍ତା, ଶିକ୍ଷା କ୍ଷେତ୍ରରେ ଏହି ଅର୍ଥ ଖର୍ଚ୍ଚ ହେଉଛି। ଯେଉଁ ବିଭାଗ ଖର୍ଚ୍ଚ ଲାଗି ପ୍ରୋଜେକ୍ଟ ରିପୋର୍ଟ ଦେଇ ନାହାନ୍ତି ,ସେମାନଙ୍କୁ ପ୍ରୋଜେକ୍ଟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବୈଠକ ପରେ ପଞ୍ଚାୟତିରାଜ ସଚିବ ସୂଚନା ଦେଇଥିଲେ।