Odisha Link
Bridging the Missing Links in Odisha

ରାଜ୍ୟରେ ସ୍ତନ କର୍କଟ କାୟା ବିସ୍ତାର କରିଚାଲିଛି

ଭୁବନେଶ୍ୱର : ସ୍ତନ କର୍କଟ ଭଳି ଦୁରାରୋଗ୍ୟ ବ୍ୟାଧଗ୍ରସ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଏହାର ଭୟବହତା ସଂପର୍କରେ ଆମେ ସମସ୍ତେ ଅବଗତ । ତେବେ ଚିକିତ୍ସା ବିଜ୍ଞାନର ଉନ୍ନତି ଓ ଅଗ୍ରଗତି ସହ ଏହାର ନିଦାନ ସମ୍ଭବ ହୋଇ ପାରିଛି । ପ୍ରାଥମିକ ଅବସ୍ଥାରେ ରୋଗ ଚିହ୍ନଟ, ଉପଯୁକ୍ତ ପରୀକ୍ଷା, ସଠିକ୍‌ ଚିକିତ୍ସା, ଔଷଧ ସେବନ ଓ ସୁଷମ ପୁଷ୍ଟିକର ଖାଦ୍ୟ ଦ୍ୱାରା ଏହାକୁ ରୋକାଯାଇ ପାରିବ । ଏ କ୍ଷେତ୍ରରେ ଜନସଚେତନତା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ପ୍ରକାଶ କରିଛନ୍ତି । କନ୍‌ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟି୍ରଜ୍‌, ଓଡ଼ିଶା ଷ୍ଟେଟ୍‌ କାଉନ୍ସିଲ୍‌, ଆମି୍ର ହସ୍‌ ପିଟାଲ୍‌ ଓ ନୋଭାର୍ଟିସ୍‌ ଫାର୍ମା ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ସ୍ତନ କର୍କଟ’ ସଂପର୍କିତ ଓଡ଼ିଶା ରିଜିଓନାଲ୍‌ ରାଉଣ୍ଡ ଟେବୁଲ୍‌ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗାଦେଇ ମନ୍ତ୍ରୀ ଦାସ କହିଲେ ଯେ, ‘ମୋ ସରକାର’ କାର୍ଯ୍ୟକ୍ରମରେ ତୃଣମୂଳସ୍ତରରୁ ଆରମ୍ଭ କରି ଜିଲ୍ଲା ପର୍ଯ୍ୟନ୍ତ ସମସ୍ତ ଜନସାଧାରଣଙ୍କୁ ଉନ୍ନତ ମାନର ଚିକିତ୍ସା ସେବା ଯୋଗାଇଦେବା ପାଇଁ ସରକାର ତତ୍ପର ଅଟନ୍ତି । ସରକାର ଆଗାମୀ ଦିନରେ ଜିଲ୍ଲାସ୍ତରରେ କର୍କଟ ରୋଗ ନିରୂପଣ କେନ୍ଦ୍ର ଓ ଚିକିତ୍ସା ବ୍ୟବସ୍ଥା ପାଇଁ ଯୋଜନା କରିଛନ୍ତି । ସରକାର ଝାରସୁଗୁଡ଼ା ଠାରେ ପି ପି ପି ମୋଡ୍‌ରେ କର୍କଟ ନିଦାନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଘରୋଇ ମେଡିକାଲ୍‌ରେ କର୍କଟ ଚିକିତ୍ସା ଖର୍ଚ୍ଚ ବ୍ୟୟବହୁଳ ହୋଇଥିବାବେଳେ ସରକାରଙ୍କ ନୂତନ ଯୋଜନା ଦ୍ୱାରା ସମସ୍ତେ ଏହାର ସୁଫଳ ପାଇ ପାରିବେ ।

ଏହି ଅବସରରେ ସ୍ୱାଗତ ଭାଷଣ ପ୍ରଦାନ କରି ସି.ଆଇ.ଆଇ, ଓଡ଼ିଶା ଷ୍ଟେଟ୍‌ କାଉନ୍‌ସିଲ୍‌ର ଉପାଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି କହିଲେ ଯେ ଏଭଳି ଏକ ରାଉଣ୍ଡ ଟେବୁଲ୍‌ ବୈଠକ ଦ୍ୱାରା ପ୍ରମୁଖ ଯୋଜନା ପ୍ରଣୟନକାରୀ, ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ସଂସ୍ଥା ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କିପରି ସ୍ତନ କର୍କଟ ଭଳି ମାରାତ୍ମକ ବ୍ୟାଧ୍ୟକ ରୋକାଯାଇ ପାରିବ ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇ ପାରିବ ଏବଂ ଏହାର ନିଷ୍କର୍ଷ ବାହାରି ପାରିବ । ବୈଠକରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ ନିର୍ଦ୍ଦେଶକ ଡା. ଆର୍‌. ଆର୍‌. ଶତପଥୀ କହିଲେ ଯେ ଭାରତରେ ସ୍ତନ କର୍କଟ ତା’ର କାୟା ବିସ୍ତାର କରିଚାଲିଛି । ପ୍ରାୟ ୫୪ ପ୍ରତିଶତ ଭାରତୀୟ ମହିଳା ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଆଡ୍‌ଭାନ୍ସଡ୍‌ ଷ୍ଟେଜ୍‌ରେ ପହଞ୍ଚି ସାରିଥିବାବେଳେ ୩୦ ପ୍ରତିଶତ ଅତି ମାରାତ୍ମକ ଅବସ୍ଥାକୁ ଆସିଯାଇଛନ୍ତି । ୪୦ବର୍ଷ ବୟସରୁ ଅଧିକ ବୟସର ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟର ଆଶଙ୍କା ଅଧିକ । ମୋଟା ପଣ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ସଚେତନତାର ଅଭାବ ଯୋଗୁଁ ଏହାର ପ୍ରାଦୁର୍ଭାବ ବୃଦ୍ଧି ପାଇଥାଏ । ସର୍ବଭାରତୀୟ ସ୍ତରଠାରୁ ଓଡ଼ିଶାରେ ସ୍ତନ କର୍କଟ ଆକ୍ରାନ୍ତଙ୍କ ସଂଖ୍ୟା ଖୁବ୍‌ ଅଧିକ । ହାରାହାରି ଭାବେ ୨୮ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କଠାରେ ଜୀବନକାଳ ମଧ୍ୟରେ ସ୍ତନ କର୍କଟ ହେବାର ସମ୍ଭାବନା ରହିଛି । ସହରାଞ୍ଚଳରେ ଏହି ହାର ୨୨ ଜଣରେ ଜଣେ ଥିବାବେଳେ ଗ୍ରାମାଞ୍ଚଳରେ ୬୦ ଜଣଙ୍କ ମଧ୍ୟରୁ ଜଣଙ୍କଠାରେ ଏହି ରୋଗର ସମ୍ଭାବନା ରହିଛି । ଏହି କାର୍ଯ୍ୟକ୍ରମର ନୋଭାର୍ଟିସ୍‌ ଫାର୍ମାର ଯୋଜନା ଓ ମାଧ୍ୟମ ମୁଖ୍ୟ ପ୍ରଭାତ କୁମାର ସିହ୍ନା, ଡା. ସତ୍ୟ ଅଗ୍ରଓ୍ୱାଲ୍‌, ଡା. ଦିନେଶ ପଣ୍ଡାରକର ପ୍ରମୁଖ ଉପସ୍ଥିତ ରହି ସ୍ତନ କର୍କଟର ନିଦାନ ସଂପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଶେଷରେ ଆମ୍ରି ହସ୍‌ ପିଟାଲ୍‌ର ୟୁନିଟ୍‌ ହେଡ୍‌ ଡା. ଅନୁଜ ତିଓ୍ୱାରୀ ଧନ୍ୟବାଦ ଅ ର୍ପଣ କରିଥିଲେ ।

Comments are closed.