Odisha Link
Bridging the Missing Links in Odisha

ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲା ଦୁର୍ବୃତ୍ତ

ବିଶାଖାପଟନମ: ଅବଦୁଲ୍ଲାପୁରମେଟ୍ ତହସିଲଦାର ଅଫିସରେ ଦେଖିବାକୁ ମିଳିଛି ଅଘଟଣ। ଅଫିସରେ କାର୍ଯ୍ୟ କରୁଥିବା ବେଳେ ମହିଳା ତହସିଲଦାରଙ୍କୁ ଜଣେ ଦୁର୍ବୃତ୍ତ ଜିଅନ୍ତା ଜାଳି ଦେଇଛି। ଏହାରି ଫଳରେ ମହିଳା ତହସିଲଦାରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି।

ଇବ୍ରାହିମ୍‌ପଟନମ୍‌ର ରେଭିନ୍ୟୁ ଡିଭିଜନାଲ ଅଫିସର ଅମରିନ୍ଦର କହିଛନ୍ତି, ତହସିଲଦାର ବିଜୟା ଆଜି ମଧ୍ୟାହ୍ଣରେ ତାଙ୍କ ଚ୍ୟାମ୍ବରରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ନିକଟକୁ ଯାଇଥିଲା। ସେଠାରେ ସେ ଚ୍ୟାମ୍ବର ଲକ୍‌ କରି ବିଜୟାଙ୍କ ସହ ପାଟିତୁଣ୍ଡ କରିଥିଲା। କିଛି ସମୟ ପରେ ଦୁର୍ବୃତ୍ତ ଜଣଙ୍କ ନିଜ ସହ ଆଣିଥିବା ପେଟ୍ରୋଲକୁ ବିଜୟାଙ୍କ ଉପରକୁ ଫୋପାଡ଼ି ନିଆଁ ଲଗାଇ ଦେଇଥିଲା। ବିଜୟାଙ୍କ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳ ହୋଇ ପାରି ନଥିଲା। ଏହି ଘଟଣାରେ ଦୁଇ ଜଣ ଯାକ ଆହତ ହୋଇଛନ୍ତି।

ସେହିପରି ଘଟଣାସ୍ଥଳରେ ହିଁ ବିଜୟାଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣକାରୀ ଜଣଙ୍କ ମଧ୍ୟ ଅଫିସ ବାହାରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ତେବେ ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀର ନାଁ ସୁରେଶ। ତା’ ଘର ହାୟତନଗର ବ୍ଲକ ଅନ୍ତର୍ଗତ ଗୌରେଲ୍ଲି ଗାଁରେ ବୋଲି ଜଣାପଡ଼ିଛି। ତେବେ ଆକ୍ରମଣ ପଛର କାରଣ ଜଣାପଡ଼ି ନାହିଁ। ୨ ବର୍ଷ ହେଲା ବିଜୟା ଏଠାରେ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ।

Comments are closed.