କେନ୍ଦ୍ରୀୟ ଅନୁଦାନର ବକେୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ରାଜ୍ୟକୁ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରୀୟ ଯୋଜନାର ଅନୁଦାନ ରାଶିର ବକେୟା ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ବକେୟା ଅର୍ଥରାଶି ସହ ୫-ଟିର କାର୍ଯ୍ୟକାରିତା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
୨୦୧୯ ନଭେମ୍ୱର ୭ ତାରିଖ ସୁଦ୍ଧା କେନ୍ଦ୍ରୀୟ ଅନୁଦାନ ରାଶି ୭,୫୪୪ କୋଟି ଟଙ୍କା ଓଡ଼ିଶା ପାଇବା ନେଇ ଅବଗତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏମଜିଏନଆରଇଜିଏ, ଏନଏସଏପି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପ୍ରଭୃତି ଜନକଲ୍ୟାଣ ଯୋଜନାର ଅର୍ଥ ବାକି ରହିଛି। ଏହାବାଦ୍ ଆହୁରି ଅନ୍ୟାନ୍ୟ ଯୋଜନାରେ ଓଡ଼ିଶା ଅଧିକ ୬ ହଜାର କୋଟି ଟଙ୍କାର ଅର୍ଥ ପାଇବାକୁ ଅଛି । ଏ ସବୁକୁ କେନ୍ଦ୍ର ସରକାରଙ୍କ ସହ ଫଲୋଅପ୍ କରିବାକୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ୫-ଟିର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରୀୟ ଅନୁଦାନ ପାଇବାରେ ଯେଭଳି ବିଳମ୍ବ ନହୁଏ ସେ ଦିଗରେ ଦୃଷ୍ଟିଦେବାକୁ ଅଧିକାରୀଙ୍କୁ କୁହାଯାଇଛି।
ଦିଲ୍ଲୀରେ ଓଡ଼ିଶା ସଂସ୍କୃତି କେନ୍ଦ୍ର ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ୫-ଟି ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।