Odisha Link
Bridging the Missing Links in Odisha

୧୪ରୁ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ- ସୁରଭି ୨୦୧୯

ଭୁବନେଶ୍ବର: ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆନୁକୁଲ୍ୟରେ ଆସନ୍ତା ୧୪ରୁ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୯’ ଆରମ୍ଭ ହେବ। ତିନିଦିନ ବ୍ୟାପି ଏହି ମହୋତ୍ସବ ୟୁନିଟ-୯ ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏଥିରେ ଅଂଶ ଗ୍ରହଣ କରିବା ଲାଗି ପ୍ରତ୍ୟେକ ଶିକ୍ଷା ମଣ୍ଡଳରୁ ପ୍ରତି ବିଭାଗ ପାଇଁ ଶ୍ରେଷ୍ଠ ଶିକ୍ଷାର୍ଥୀଙ୍କୁ ମଣ୍ଡଳସ୍ତରରେ ସମ୍ପୃକ୍ତ ଶିକ୍ଷା ପରିଦର୍ଶକମାନେ ମନୋନୀତ କରି ପ୍ରାୟ ୩ ହଜାର ଶିକ୍ଷାର୍ଥୀଙ୍କୁ ରାଜ୍ୟସ୍ତରକୁ ପଠାଇଛନ୍ତି। ମହୋତ୍ସବରେ ବର୍ଜ୍ୟବସ୍ତୁର ବ୍ୟବହାର, ବିଜ୍ଞାନ କୌତୁକ କର୍ମଶାଳା, ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏହା ସହ ୩୦ ଜିଲ୍ଲାର ପ୍ରାଥମିକ ଓ ମାଧ୍ୟମିକ ସ୍ତରୀୟ ଶିକ୍ଷାର୍ଥୀଙ୍କ ପାଇଁ ରାଜ୍ୟସ୍ତରରେ ବକ୍ତୃତା, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଛି।

ମହୋତ୍ସବର ପ୍ରଥମ ଦିନ ସକାଳେ ‘ଶିକ୍ଷା ସଚେତନତା’ ସାଇକେଲ ଶୋଭାଯାତ୍ରା ଅନୁଷ୍ଟିତ ହେବ। ଏହି ଶୋଭାଯାତ୍ରାରେ ୬୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେବେ। ଚଳିତ ବର୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓପେସା, ଶିକ୍ଷା ଓ ଶିକ୍ଷକ ତାଲିମ ନିର୍ଦ୍ଦେଶାଳୟ ଆଦି ସରକାରୀ ବିଭାଗୀୟ ପ୍ରାୟ ୩୦ରୁ ଉର୍ଦ୍ଧ ଷ୍ଟଲ ପ୍ରଦର୍ଶନ କରାଯିବ। ଏହି ଉତ୍ସବରେ ସ୍ବତନ୍ତ୍ର ପୁସ୍ତକ ମେଳାର ଆୟୋଜନ କରାଯାଇଛି ଏବଂ ପ୍ରତି ସଂଧ୍ୟାରେ ସାଂସୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି ରାଜ୍ୟ ସ୍ତରୀୟ ଶିଶୁ ସହୋତ୍ସବ ‘ସୁରଭି-୨୦୧୯’ ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Comments are closed.